ପ୍ରବାସୀ ଓଡ଼ିଆଙ୍କ ବିୟୋଗ, ତୁରନ୍ତ ସହାୟତା ଯୋଗାଇ ଦେଲେ ମୁଖ୍ୟମନ୍ତ୍ରୀ

ସେ ସବୁ ଓଡ଼ିଆଙ୍କ ସୁଖଦୁଃଖର ସାଥି। ଓଡ଼ିଶା ମାଟିରେ ଥାଆନ୍ତୁ କି ରାଜ୍ୟ/ଦେଶ ବାହାରେ, କାହାରି ଦୁଃଖ କଷ୍ଟ ସମ୍ପର୍କରେ ଜାଣିବା ମାତ୍ରେ ସହଯୋଗର ହାତ ବଢ଼ାଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ତାଙ୍କ ଦରଦୀବନ୍ଧୁ ମନୋଭାବର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ଦିଲ୍ଲୀ-ଗୁରୁଗାଓଁରେ ଅମିତ ରଞ୍ଜନ ପ୍ରଧାନ ନାମକ ଓଡ଼ିଆ ପ୍ରବାସୀଙ୍କ ଦୁଖଦ ବିୟୋଗ ଘଟିଥିଲା। କୋଭିଡ୍ ସଂକ୍ରମିତ ହେବା ପରେ ବେଶ୍ କିଛି ଦିନ ହେବ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ଅମିତଙ୍କ ଜୀବନ ରକ୍ଷା ସମ୍ଭବପର ହୋଇ ନଥିଲା।

ଅମିତଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିଲା। ଏପରିକି ଚିକିତ୍ସା ତଥା ଔଷଧ ବାବଦ ଖର୍ଚ୍ଚ ବହନ କରିବା ମଧ୍ୟ ସେମାନଙ୍କ ପାଇଁ କାଠିକର ଥିଲା। ସେମାନଙ୍କ ଏଭଳି ଅବସ୍ଥା ସମ୍ପର୍କରେ ଅବଗତ ହେବା କ୍ଷଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ସହାୟତା କରିବାକୁ ନିର୍ଦ୍ଦେଶ ଦେଲେ। କୌଣସି ଓଡ଼ିଆ ନିଜ ଭିଟାମାଟିରୁ ଦୂରରେ ରହି କଷ୍ଟର ସମ୍ମୁଖୀନ ହେବ, ଏକଥା ସହ୍ୟ କରିବା ତାଙ୍କ ପକ୍ଷରେ ଅକଳ୍ପନୀୟ ଥିଲା। କୋଟି କୋଟି ଓଡ଼ିଆଙ୍କ ପରିବାରର ମୁଖିଆ ସେ, ସମସ୍ତଙ୍କ ଯତ୍ନ ତାଙ୍କର ଗୁରୁଦାୟିତ୍ୱ। ଏହା ସେ ବେଶ୍ ଭଲଭାବେ ହୃଦୟଙ୍ଗମ କରି ବାରମ୍ବାର ତଦନୁରୂପକ କାର୍ଯ୍ୟ କରି ଆସିଛନ୍ତି। ଏଥର ବା ବ୍ୟତିକ୍ରମ ହୁଅନ୍ତା କିଭଳି।

ତୁରନ୍ତ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରକାରେ ମୃତକଙ୍କ ପରିବାରକୁ ଶ୍ମଶାନ ଘାଟରେ ହିଁ ୫୧,୬୧୪ (ଔଷଧ ବାବଦ ଖର୍ଚ୍ଚ) ଟଙ୍କାର ଚେକ୍ ଦିଆଯାଇଥିଲା। ଓଡ଼ିଆ ମହାମଞ୍ଚ ଜରିଆରେ ରାଜ୍ୟ ସରକାର କାଳବିଳମ୍ବ ନକରି ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନ ଡେପୁଟୀ ରେସିଡେଣ୍ଟ କମିଶନର୍ ଓ ଯୁଗ୍ମ ଆବାସିକ କମିଶନରଙ୍କ ମାଧ୍ୟମରେ ଏହି ସହାୟତା ଯୋଗାଇ ଦେଇଥିଲେ। ଏହା ପାଇ ମୃତକଙ୍କ ଶୋକସନ୍ତପ୍ତ ପରିବାର ଲୋକଙ୍କ ଆଖିରୁ ଲୁହ ଝରି ଆସିଥିଲା। ଦୁଖ ସମୟରେ ସହାୟତା ଯୋଗାଇ ଦେଇଥିବାରୁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହୃଦୟର ଅନ୍ତରରୁ ନିଜ କୃତଜ୍ଞତା ଜଣାଇଥିଲେ।

Comments are closed.