ସୀମା ବିବାଦ ନେଇ ଲୋକସଭାରେ ବିବୃତ୍ତି ରଖିଲେ ରାଜନାଥ ସିଂହ, କହିଲେ କୌଣସି ଭାରତୀୟ ସୈନିକ ପ୍ରାଣ ହରାଇନାହାଁନ୍ତି

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ଚୀନ୍ ଏବଂ ଭାରତୀୟ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ବିବୃତ୍ତି ରଖିଛନ୍ତି । ସେ କହିଛନ୍ତି ଯେ ଏହି ସଂଘର୍ଷରେ କୌଣସି ଭାରତୀୟ ସୈନିକଙ୍କ ମୃତ୍ୟୁ ହୋଇନାହିଁ କି କେହି ଗୁରୁତର ଆହତ ହୋଇନାହାଁନ୍ତି ।

ରାଜନାଥ ସିଂହ କହିଛନ୍ତି, “ଡିସେମ୍ବର ୯, ୨୦୨୨ରେ, ଚୀନ ସୈନ୍ୟମାନେ ତାୱାଙ୍ଗ ସେକ୍ଟରର ୟାଙ୍ଗସେ ଅଞ୍ଚଳରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ଅତିକ୍ରମ କରି ଏକତରଫା ଭାବେ ସ୍ଥିତାବସ୍ଥା ପରିବର୍ତ୍ତନ କରିବାକୁ ଉଦ୍ୟମ କରିଥିଲେ। ଆମର ସେନା ଚୀନ୍‌ର ଏହି ପ୍ରୟାସକୁ ଭଣ୍ଡୁର କରିଥିଲେ | ଉଭୟ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଭାରତୀୟ ସେନା ସାହସର ସହିତ ଚୀନ୍ ସୈନିକଙ୍କୁ ଆମ ଅଞ୍ଚଳରେ ଅନୁପ୍ରବେଶରୁ ରୋକିଥିଲେ ଏବଂ ସେମାନଙ୍କୁ ନିଜ ପୋଷ୍ଟକୁ ଫେରିବାକୁ ବାଧ୍ୟ କରିଥିଲେ । ଏହି ସଂଘର୍ଷରେ ଉଭୟ ପାର୍ଶ୍ୱରୁ କିଛି ସୈନିକ ଆହତ ହୋଇଛନ୍ତି।”

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆମର କୌଣସି ସୈନିକଙ୍କ ପ୍ରାଣହାନୀ ହୋଇନାହିଁ କିମ୍ବା କେହି ଗୁରୁତର ଆହତ ହୋଇନାହାଁନ୍ତି। ଚୀନକୁ ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ଏବଂ ସୀମାରେ ଶାନ୍ତି ବଜାୟ ରଖିବାକୁ କୁହାଯାଇଥିଲା। କୂଟନୈତିକ ସ୍ତରରେ ଚୀନ୍ ସହିତ ଏହି ପ୍ରସଙ୍ଗ ମଧ୍ୟ ଉଠାଯାଇଛି । ଭାରତୀୟ ସେନା କମାଣ୍ଡରଙ୍କ ସମୟୋଚିତ ହସ୍ତକ୍ଷେପ ଯୋଗୁଁ ଚୀନ୍ ସୈନିକମାନେ ନିଜ ଅଞ୍ଚଳକୁ ଫେରିଥିଲେ । ଏହି ଘଟଣା ପରେ ସ୍ଥାନୀୟ କମାଣ୍ଡର ସ୍ତରୀୟ ବ୍ୟବସ୍ଥା ଅନୁଯାୟୀ ୧୧ ଡିସେମ୍ବର ୨୦୨୨ରେ ଚୀନ୍ ପ୍ରତିପକ୍ଷଙ୍କ ସହ ଫ୍ଲାଗ୍ ମିଟିଂ କରି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ।

ଏଲ୍ଏସିରେ ସଂଘର୍ଷ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବିବୃତ୍ତି ପରେ ବିରୋଧୀ ଗୃହରୁ ଓ୍ବାକ୍ଆଉଟ୍ କରିଥିଲେ।

ଏହି ଘଟଣା ଡିସେମ୍ବର ୯ ରେ ଘଟିଥିବା ବେଳେ ସରକାର କାହିଁକି ତିନି ଦିନ ଚୁପ୍ ରହିଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

Comments are closed.