ରାଜ୍ୟ ଭିଜିଲାନ୍ସ ବିଭାଗର ସଫଳତା : ଏ ବର୍ଷ ରେକର୍ଡ ୧୬୦ କୋଟି ଟଙ୍କାର ଆୟ ବର୍ହିଭୂତ ସଂପତ୍ତି ଠାବ

ଭୁବନେଶ୍ୱର – ଚଳିତବର୍ଷ ଆଜି ସୁଦ୍ଧା ରାଜ୍ୟ ଭିଜିଲାନ୍ସ ବିଭାଗ ମୋଟ ୧୬୦ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିଛି, ଯାହାକି ଭିଜିଲାନ୍ସ ଇତିହାସରେ ସର୍ବାଧିକ । ଭିଜିଲାନ୍ସ ଡିଜି ୱାଇ.କେ ଜେଠୱା ଏହି ସୂଚନା ଦେଇଛନ୍ତି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ହେଲା ଯେ, ଏ ବର୍ଷ ୬୦ଜଣ ପ୍ରଥମ ଶ୍ରେଣୀ ଅଫିସରଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିଛି, ଯାହା କି ଗତ ୫ ବର୍ଷର ଭିଜିଲାନ୍ସ ଇତିହାସରେ ସର୍ବାଧିକ ।

ଗଣମାଧ୍ୟମକୁ ସୂଚନା ଦେଇ ଭିଜିଲାନ୍ସ ଡିଜି କହିଛନ୍ତି ଯେ, ଗତବର୍ଷ ସାରାଦେଶରେ ସର୍ବାଧିକ ଆୟ ବର୍ହିଭୂତ ସମ୍ପତ୍ତି ମାମଲା ରୁଜୁ କରିବାରେ ରାଜ୍ୟ ଭିଜିଲାନ୍ସ ଏକ ନମ୍ବର ସ୍ଥାନରେ ଥିଲା ।

ଏ ବର୍ଷ ଆଜି ଯାଏଁ ରାଜ୍ୟ ଭିଜିଲାନ୍ସ ମୋଟ ୨୭୦ଟି ମାମଲା ରୁଜୁ କରିଛି । ସେଥିମଧ୍ୟରୁ ୭୫ଟି ହେଉଛି ଆୟ ବର୍ହିଭୂତ ସମ୍ପତ୍ତି ମାମଲା, ୧୧୪ଟି ଟ୍ରାପ୍ କେସ୍ ଓ ବାକି ସବୁ ଅନ୍ୟ ଦୁର୍ନୀତି ମାମଲା । ସେହିପରି ଚଳିତବର୍ଷ ରାଜ୍ୟ ଭିଜିଲାନ୍ସ ରେକର୍ଡ ପରିମାଣର ନଗଦ ଟଙ୍କା ଜବତ କରିଛି । ୪ଟି ଆୟ ବର୍ହିଭୂତ ମାମଲାରେ ମୋଟ ୭ କୋଟି ଟଙ୍କା ନଗଦ ଜବତ ହୋଇଛି । ଏ ବର୍ଷ ରାଜ୍ୟ ଭିଜିଲାନ୍ସର ଦୋଷୀ ସାବ୍ୟସ୍ତ ହାର ୫୦ ପ୍ରତିଶତ ରହିଛି । ମୋଟ ୮୭ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ସେ ସୂଚନା ଦେଇଛନ୍ତି।

Comments are closed.