ଏବେ ଯେକୌଣସି ସ୍ଥାନରୁ ଦେଇପାରିବେ ଭୋଟ୍, ନିର୍ବାଚନ ଆୟୋଗ ଲାଗୁ କରିବ ‘ରିମୋଟ୍ ଭୋଟିଂ’ ବ୍ୟବସ୍ଥା

ଦିଲ୍ଲୀ: ନିର୍ବାଚନରେ ​​ଭୋଟରଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଲକ୍ଷ୍ୟରେ ନିର୍ବାଚନ ଆୟୋଗ ଏକ ବଡ଼ ପଦକ୍ଷେପ ନେଇଛି । ନିର୍ବାଚନ ଆୟୋଗ ଘରୋଇ ପ୍ରବାସୀ ଭୋଟରଙ୍କ ପାଇଁ ‘ରିମୋଟ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍’ର ଏକ ପାଇଲଟ୍ ମଡେଲ୍ ପ୍ରସ୍ତୁତ କରିଛି । ଏହାର ପ୍ରଦର୍ଶନ ପାଇଁ ଆୟୋଗ ଜାନୁଆରୀ ୧୬ରେ ସବୁ ଦଳକୁ ଆମନ୍ତ୍ରଣ କରିଛି ।

ଯଦି ନିର୍ବାଚନ ଆୟୋଗର ଏହି ପ୍ରୟୋଗ ସଫଳ ହୁଏ, ତେବେ ଭୋଟ୍ ଦେବାକୁ ପ୍ରବାସୀ ଭୋଟରଙ୍କୁ ଆଉ ନିଜ ନିଜ ରାଜ୍ୟ / ସହରକୁ ଯିବାକୁ ପଡ଼ିବ ନାହିଁ । ସେମାନେ ଯେକୌଣସି ସ୍ଥାନରୁ ଭୋଟ୍ ଦେଇ ପାରିବେ।

ବିଭିନ୍ନ ହିତାଧିକାରୀଙ୍କ ମତାମତ ଏବଂ ପ୍ରାରମ୍ଭିକ ମଡେଲର ସଫଳତା ଆଧାରରେ ନିର୍ବାଚନ ଆୟୋଗ (ଇସି) ‘ରିମୋଟ୍ ଭୋଟିଂ’ ପ୍ରକ୍ରିୟା ଆଗକୁ ବଢ଼ାଇବା ବୋଲି ଆୟୋଗ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ।

ଆୟୋଗ ‘ରିମୋଟ୍ ଭୋଟିଂ’କୁ ଲାଗୁ କରିବାରେ ଆଇନଗତ, ପ୍ରଶାସନିକ, ପ୍ରକ୍ରିୟାଗତ, ବୈଷୟିକ ଆହ୍ବାନ ଉପରେ ରାଜନୈତିକ ଦଳ‌ ଗୁଡ଼ିକର ମତାମତ ଲୋଡିଛି।

ବିବୃତ୍ତି ଅନୁଯାୟୀ, ଏହା ମାଧ୍ୟମରେ ଗୋଟିଏ ‘ରିମୋଟ୍’ ମତଦାନ କେନ୍ଦ୍ରରୁ ୭୨ଟି ନିର୍ବାଚନମଣ୍ଡଳୀରେ ‘ରିମୋଟ୍’ ଭୋଟିଂ ସୁବିଧା ଉପଲବ୍ଧ ହୋଇପାରିବ। ଏହାଛଡ଼ା ପ୍ରବାସୀ ଭୋଟରମାନେ ଭୋଟ୍ ଦେବାକୁ ନିଜ ନିଜ ରାଜ୍ୟ / ସହରକୁ ଯିବାକୁ ପଡ଼ିବ ନାହିଁ । ସେମାନେ କେଉଁଠାରୁ ବି ଭୋଟ୍ ଦେଇପାରିବେ |

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଭୋଟରଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ‘ରିମୋଟ୍ ଭୋଟିଂ’ ଏକ ପରିବର୍ତ୍ତନକାରୀ ପଦକ୍ଷେପ ସାବ୍ୟସ୍ତ ହେବ।

Comments are closed.