ବିଜେପି ଏବେ ‘ଭାରତୀୟ ଝଗଡ଼ା ପାର୍ଟି’: ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ‘ଘରେ ଘରେ ରାସନ’ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇବା ନେଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ରାଜ୍ୟମାନଙ୍କୁ ସମର୍ଥନ କରିବା ପରିବର୍ତ୍ତେ କେନ୍ଦ୍ର କଥା କଥାକେ ରାଜ୍ୟମାନଙ୍କ ସହ ଲଢ଼ୁଛି । ବିଜେପି ଏବେ ‘ଭାରତୀୟ ଝଗଡ଼ା ପାର୍ଟି’ରେ ପରିଣତ ହୋଇଗଲାଣି ବୋଲି ସିସୋଦିଆ କହିଛନ୍ତି ।

ଶୁକ୍ରବାର ଏକ ଅନ୍‌ଲାଇନ୍ ସାମ୍ବାଦିକ ସମ୍ମିଳନୀରେ ସିସୋଦିଆ କହିଛନ୍ତି – କିଛି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ଛଡ଼ା ଆଜିକାଲି କେନ୍ଦ୍ର ପାଖରେ ଆଉ କିଛି କାମ ନାହିଁ । ତିନି-ଚାରିଟି ରାଜ୍ୟ ପୂରା ବିଜେପି ଓ କେନ୍ଦ୍ର ସରକାରଙ୍କ ଟାର୍ଗେଟ୍‌ରେ ରହିଛନ୍ତି ।

ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ କେନ୍ଦ୍ର କେବଳ ଉପର ଠାଉରିଆ ଭାବେ କାର୍ଯ୍ୟ କରୁଛି । ନହେଲେ ସେମାନେ କେବଳ ଏହି କିଛି ରାଜ୍ୟଙ୍କ ସହ ସବୁବେଳେ ଝଗଡ଼ାରେ ମାତି ଥାଆନ୍ତି । କେନ୍ଦ୍ର ସରକାରଙ୍କ ଏପରି କଳିପ୍ରିୟ ଆଭିମୁଖ୍ୟରେ ଜନତା ମଧ୍ୟ ବିରକ୍ତ ହୋଇଗଲେଣି ବୋଲି ସିସୋଦିଆ କହିଛନ୍ତି ।

ଲୋକେ ‘ଭାରତୀୟ ଜନତା ପାର୍ଟି’କୁ ନିର୍ବାଚିତ କରିଥିଲେ ‘ଭାରତୀୟ ଝଗଡ଼ା ପାର୍ଟି’କୁ ନୁହେଁ । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ରାଜ୍ୟ ବ୍ୟାପାରରେ ହସ୍ତକ୍ଷେପ କରିବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରିବା ଉଚିତ । ରାଷ୍ଟ୍ର ଗଠନରେ ରାଜ୍ୟ ମାନଙ୍କ ପଦକ୍ଷେପକୁ କେନ୍ଦ୍ର ସମର୍ଥନ କରିବା ଉଚିତ ବୋଲି ସିସୋଦିଆ କହିଛନ୍ତି ।

Comments are closed.