ବ୍ରାଜିଲ ସଂସଦ ଭିତରେ ପଶିଲେ ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକ; ସୁପ୍ରିମକୋର୍ଟ ଓ ରାଷ୍ଟ୍ରପତି ଭବନ ଉପରେ ବି ଆକ୍ରମଣ 

ବ୍ରାସିଲିଆ: ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କ ହଜାର ହଜାର ସମର୍ଥକ ରବିବାର ବ୍ରାଜିଲ ସଂସଦ ଉପରେ ଆକ୍ରମଣ କରିଛନ୍ତି । ସେମାନେ ସୁପ୍ରିମକୋର୍ଟ ଏବଂ ରାଷ୍ଟ୍ରପତି ବାସଭବନରେ ମଧ୍ୟ ଧସେଇ ପଶିଥିଲେ।

ବ୍ରାଜିଲର ଫୁଟବଲ ଦଳର ଜର୍ସି ପିନ୍ଧି ହଜାର ହଜାର ପ୍ରଦର୍ଶନକାରୀ ହାତରେ ପତାକା ଧରି ସଂସଦରେ ପଶି ଭଙ୍ଗାରୁଜା କରିଥିଲେ । ଆଉ କିଛି ଲୋକ ସ୍ପିକର ପ୍ଲାଟଫର୍ମରେ ଚଢି ପ୍ରଦର୍ଶନ କରୁଥିବା ଦେଖାଯାଇଥିଲା |

କିଛି ବିକ୍ଷୋଭକାରୀ ସଂସଦର ଛାତ ଉପରକୁ ଯାଇ ଝରକା ଭାଙ୍ଗିଥିଲେ।

ପ୍ରବଳ ସଂଘର୍ଷ ପରେ ରବିବାର ସନ୍ଧ୍ୟା ସୁଦ୍ଧା ରାଜଧାନୀ ବ୍ରାସିଲିଆର ଗୁରୁତ୍ୱପୂର୍ଣ୍ଣ ସରକାରୀ କୋଠାକୁ ପୋଲିସ ନିଜ ନିୟନ୍ତ୍ରଣକୁ ନେଇଛି ।

ରାଷ୍ଟ୍ରପତି ଲୁଲା ଡା ସିଲଭା ଏହାକୁ ଏକ ଫାସିଷ୍ଟ ଆକ୍ରମଣ ବୋଲି କହିଛନ୍ତି।

ରବିବାର ବ୍ରାଜିଲରେ ହୋଇଥିବା ହିଂସା ୨୦୨୧ ଜାନୁଆରୀ ୬ରେ ଆମେରିକାର କ୍ୟାପିଟାଲ ବିଲଡିଂରେ ଘଟିଥିବା ଘଟଣାକୁ ମନେ ପକାଇ ଦେଇଛି। ରାଷ୍ଟ୍ରପତି ନିର୍ବାଚନରେ ହାରିବା ପରେ ସେତେବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟାଲ ବିଲଡିଂ ଉପରେ ଆକ୍ରମଣ କରିଥିଲେ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ଜାତିସଂଘ ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କ ସମେତ ବହୁ ବଡ ବ୍ୟକ୍ତିତ୍ୱ ଏହି ହିଂସାକୁ ନିନ୍ଦା କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବ୍ରାଜିଲ ଘଟଣା ଉପରେ ଉଦବେଗ ପ୍ରକାଶ କରିଛନ୍ତି ।

ଗତ ସପ୍ତାହରେ ବ୍ରାଜିଲର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବା ଲୁଲା ଡା ସିଲଭା କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋଙ୍କ ସମର୍ଥକ ମାନଙ୍କୁ କଠୋର ଦଣ୍ଡ ମିଳିବ।

ଏହାପୂର୍ବରୁ ଲୁଲା ଡା ସିଲଭା ଟ୍ୱିଟ୍ କରି କହିଥିଲେ, “ଆମେ ସରକାର ଗଠନରେ ବ୍ୟସ୍ତ ଅଛୁ ଏବଂ ରବିବାର ସେମାନେ ଆମର ନିରବତାର ସୁଯୋଗ ନେଇଥିଲେ । ଆପଣ ଜାଣନ୍ତି ଯେ ପୂର୍ବତନ ରାଷ୍ଟ୍ରପତିଙ୍କ ଉତ୍ତେଜକ ଭାଷଣ ଦ୍ବାରା ଏଭଳି କରିବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ। ଏଥିପାଇଁ ତାଙ୍କ ଦଳ ଏବଂ ସେ ନିଜେ ଦାୟୀ। ”

ଗତ ବର୍ଷ ଅକ୍ଟୋବରରେ ଅନୁଷ୍ଠିତ ନିର୍ବାଚନର ବୋଲସୋନାରୋଙ୍କୁ ହରାଇ ଲୁଲା ଡା ସିଲଭା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ହେଲେ ଏହି ଫଳାଫଳକୁ ବୋଲସନାରୋ ଗ୍ରହଣ କରିବାକୁ ନାରାଜ । ସେ ଗତ ସପ୍ତାହରେ ଲୁଲା ଡା ସିଲଭାଙ୍କ ଶପଥ ଗ୍ରହଣ ସମାରୋହରେ ମଧ୍ୟ ଯୋଗ ଦେଇନଥିଲେ।

ତେବେ ୬୭ ବର୍ଷୀୟ ବୋଲସୋନାରୋ ସଂସଦ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି। ବୋଲସନାରୋ ବର୍ତ୍ତମାନ ଆମେରିକାରେ ଅଛନ୍ତି।

Comments are closed.