ଆଜି ଗଞ୍ଜାମର ୩ ନୂଆ ଥାନା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ଉପକଣ୍ଠର ନିମଖଣ୍ଡି, ଗଞ୍ଜାମ ପୋଲିସ ଜିଲ୍ଲାର ବେଗୁନିଆପଡ଼ା ଓ ଆସିକା ବ୍ଲକର କୋଟିନଡା… ଏହି ୩ଟି ଫାଣ୍ଡି ସୋମବାରରୁ ନୂଆ ଥାନା ରୂପେ କାର୍ଯ୍ୟାରମ୍ଭ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ ୪.୩୦ରେ ଭର୍ଚୁଆଲ୍ ମାଧ୍ୟମରେ ଏହି ୩ଟି ଥାନାର ଉଦଘାଟନ କରିବେ। ଏଥିସହ ଗଞ୍ଜାମ ଜିଲ୍ଲାରେ ଥାନା ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଜନସଂଖ୍ୟା ଓ ଇଲାକା ବୃଦ୍ଧି ଦୃଷ୍ଟିରୁ ଆଇନଶୃଙ୍ଖଳା ବଜାୟ ରଖିବା ତଥା ଅପରାଧ ନିୟନ୍ତ୍ରଣ ନିମନ୍ତେ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

ସୋମବାରରୁ କାର୍ଯ୍ୟ ଆରମ୍ଭ କରିବାକୁ ଥିବା ଏହି ୩ଟି ନୂଆ ଥାନା ପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି ସାଙ୍ଗକୁ ମାନବ ସମ୍ବଳ ନିଯୁକ୍ତି ଦିଆଯାଇଛି। ବ୍ରହ୍ମପୁର ପୋଲିସ ଜିଲ୍ଲାର ସବୁଠାରୁ ବଡ଼ ଥାନା ଥିଲା ସଦର ଥାନା। ଅନ୍ୟ ୧୧ଟି ଥାନା ସୀମାକୁ ଛୁଇଁଛି ଏହି ଥାନା ଇଲାକା। ତେବେ ଏହି ଥାନା ଅନ୍ତର୍ଗତ ୧୯ଟି ପଞ୍ଚାୟତ ମଧ୍ୟରୁ ୯ଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି ନିମଖଣ୍ଡି ଥାନା। ଏହି ପଞ୍ଚାୟତ ଗୁଡ଼ିକ ଥାନାରୁ ସର୍ବାଧିକ ୧୨କିମି ଦୂରତାରେ ଅବସ୍ଥିତ। ଅର୍ଥାତ୍ ପୋଲିସ ସେବା ଶୀଘ୍ର ମିଳିବାରେ ସୁବିଧା ହେବ। ସଦର ଏସଡିପିଓଙ୍କ ଅଧୀନରେ ଆସୁଥିବା ଏହି ଥାନାରେ ଜଣେ ଇନିସପେକ୍ଟର୍, ୨ ଜଣ ଲେଖାଏଁ ଏସ୍ଆଇ ଏବଂ ଏଏସ୍ଆଇ, ୧୦ ଜଣ କନଷ୍ଟେବଳଙ୍କୁ ନିଯୁକ୍ତି ଦିଆଯାଇଥିବା କହିଛନ୍ତି ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍। ଲୋଚାପଡା କିମ୍ବା ଗୁରୁଣ୍ଠି ଅଞ୍ଚଳରେ ନୂଆ ଥାନା କୋଠା ନିର୍ମାଣ ପର୍ଯ୍ୟନ୍ତ ବ୍ରହ୍ମପୁର ମହିଳା ଥାନା ପୁରୁଣା କୋଠାରେ ନିମଖଣ୍ଡି ଥାନା ଅସ୍ଥାୟୀ ଭାବେ କାର୍ଯ୍ୟ କରିବ।

ଗଞ୍ଜାମ ପୋଲିସ ଜିଲ୍ଲାର ବେଗୁନିଆପଡା ବ୍ଲକରେ ପୂର୍ବରୁ କୋଦଳା ଥାନା ରହିଥିବା ବେଳେ ଏବେ ବେଗୁନିଆପଡା ଫାଣ୍ଡିକୁ ନୂଆ ଥାନାରେ ପରିଣତ କରାଯାଇଛି। ଫାଣ୍ଡି କୋଠାରେ ହିଁ ଥାନା କାର୍ଯ୍ୟ କରିବ। ପୁରୁଷୋତ୍ତମପୁର ଏସଡିପିଓଙ୍କ ଅଧୀନରେ ଆସୁଥିବା ଏହି ଥାନାରେ ନିଯୁକ୍ତି ପାଇଛନ୍ତି ୨ ଜଣ ଏସ୍ଆଇ, ୨ଜଣ ଏଏସ୍ଆଇ, ୧୦ କନଷ୍ଟେବଳ ଓ ୧୧ ଜଣ ହୋମଗାର୍ଡ। ସେହିପରି ଆସିକା ଏସଡିପିଓଙ୍କ ଅଧୀନରେ ରହିଥିବା ନୂତନ କୋଟିନଡ଼ା ଥାନାରେ ଜଣେ ଇନିସପେକ୍ଟର୍, ୨ ଜଣ ଲେଖାଏଁ ଏସ୍ଆଇ ଏବଂ ଏଏସ୍ଆଇ, ୧୦ ଜଣ କନଷ୍ଟେବଳ, ୭ଜଣ ହୋମଗାର୍ଡଙ୍କୁ ନିଯୁକ୍ତି ଦିଆଯାଇଛି।କୋଟିନଡ଼ା ଥାନା ୮ଟି ପଞ୍ଚାୟତର ୪୩ଟି ଗାଁରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବ ବୋଲି ଗଞ୍ଜାମ ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ସେ ନିଜେ ଗତକାଲି ଦାୟିତ୍ଵ ଗ୍ରହଣ ପରେ ପରେ ନୂଆ ଥାନା କୋଠା ପରିଦର୍ଶନ କରି ଉଦଘାଟନ ପ୍ରସ୍ତୁତି କାର୍ଯ୍ୟ ପରଖିଥିଲେ।

Comments are closed.