ରାଜସ୍ଥାନ: ବିବିସି ଡକ୍ୟୁମେଣ୍ଟାରୀ ଦେଖିବାରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୦ ଛାତ୍ର ନିଲମ୍ବିତ

ଆଜମେର: ରାଜସ୍ଥାନର ଅଜମେର ଜିଲ୍ଲାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ‘ଇଣ୍ଡିଆ: ମୋଦୀ କ୍ବେଶ୍ଚିନ୍’ ଦେଖିବା ନେଇ ୧୦ ଜଣ ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି ।

ସାଧାରଣତନ୍ତ୍ର ଦିବସରେ ଛାତ୍ରମାନେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବିବିସିର ଏହି ଡକ୍ୟୁମେଣ୍ଟାରୀ ଦେଖିଥିଲେ । ତା’ର ପରଦିନ ବିଶ୍ୱବିଦ୍ୟାଳୟର ପ୍ରୋକ୍ଟର ୧୦ ଛାତ୍ରଙ୍କୁ ନିଲମ୍ବିତ କରିବାକୁ ଆଦେଶ ଜାରି କରିଥିଲେ ‌ ।

ପ୍ରକ୍ଟରଙ୍କ ଆଦେଶ ଅନୁଯାୟୀ ପ୍ରକ୍ଟୋରିଆଲ୍ ବୋର୍ଡ ତରଫରୁ ହୋଇଥିବା ତଦନ୍ତ ପରେ ୧୦ ଛାତ୍ରଙ୍କୁ ତତ୍କାଳ ୧୪ ଦିନ ପାଇଁ ଉଭୟ ଅଧ୍ୟୟନ ସମ୍ବନ୍ଧୀୟ କାର୍ଯ୍ୟ ଏବଂ ହଷ୍ଟେଲରୁ ନିଲମ୍ବିତ କରାଯାଇଛି ।

ଛାତ୍ରମାନେ ମୋବାଇଲ୍ ଫୋନରେ ବିବିସି ଡକ୍ୟୁମେଣ୍ଟାରୀ ଦେଖିଥିଲେ ବୋଲି କୁହାଯାଇଛି । ବିଶ୍ୱବିଦ୍ୟାଳୟ ପ୍ରଶାସନ ଛାତ୍ରମାନଙ୍କୁ ନିଲମ୍ବିତ କରିବା ନିଷ୍ପତ୍ତିକୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ବୋଲି କହିଛି।

ପ୍ରକ୍ଟରଙ୍କ ଦ୍ଵାରା ଜାରି ଏକ ଆଡଭାଇଜରୀରେ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ବିବାଦୀୟ ସ୍ଲୋଗାନବାଜିରୁ ଦୂରେଇ ରଖିବାକୁ ଛାତ୍ରମାନଙ୍କୁ କୁହାଯାଇଛି ।

ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କ ଦ୍ବାରା ଜାରି ଏକ ଆଦେଶରେ କୁହାଯାଇଛି ଯେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଡକ୍ୟୁମେଣ୍ଟାରୀର ପ୍ରଦର୍ଶନକୁ ତୁରନ୍ତ ବ୍ୟାନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ସମସ୍ତ ବିଭାଗୀୟ ମୁଖ୍ୟ ସେମାନଙ୍କ ଛାତ୍ରମାନଙ୍କୁ ଏ ବିଷୟରେ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.