ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ ବିନୋଦ କାମ୍ବଲିଙ୍କ ବିରୋଧରେ ଏତଲା

ମୁମ୍ବାଇ: ପୁଣି ବିବାଦରେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି । କାମ୍ବଲିଙ୍କ ପତ୍ନୀ ଆଣ୍ଡ୍ରେୟା ହେଓ୍ବିଟ୍ ତାଙ୍କ ବିରୋଧରେ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ମଦପିଇ କାମ୍ବଲିଙ୍କୁ ତାଙ୍କୁ ମାରପିଟ୍ କରିବା ସହ ଦୁର୍ବ୍ୟବହାର କରିଥିବା ଆଣ୍ଡ୍ରେୟା ଅଭିଯୋଗ କରିଛନ୍ତି। ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ଏହି ପୂର୍ବତନ କ୍ରିକେଟରଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ବିନୋଦ କାମ୍ବଲି ଏକ ରନ୍ଧା ପାତ୍ରର ହ୍ୟାଣ୍ଡେଲ ତାଙ୍କ ଉପରକୁ ଫିଙ୍ଗି ଦେବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ପୋଲିସ ନିକଟରେ ଆଣ୍ଡ୍ରିଆଙ୍କ ଅଭିଯୋଗ ଅନୁଯାୟୀ ଶୁକ୍ରବାର ରାତି ୧ ଟାରୁ ୧.୩୦ ମଧ୍ୟରେ ଏହି ଘଟଣା ଘଟିଛି।

ବାନ୍ଦ୍ରା ପୋଲିସର ସୂଚନାନୁସାରେ, ବିନୋଦ କାମ୍ବଲିଙ୍କ ବିରୋଧରେ ଆଇପିସିର ଧାରା ୩୨୩ ଏବଂ ୫୦୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ବାନ୍ଦ୍ରା ପୋଲିସ କହିଛି ଯେ କାମ୍ବଲିଙ୍କ ପତ୍ନୀ ଆଣ୍ଡ୍ରେୟା ଭାଭା ହସ୍ପିଟାଲକୁ ଯାଇ ଅଭିଯୋଗ ଦାଖଲ କରିବା ପୂର୍ବରୁ ଚିକିତ୍ସା କରିଥିଲେ। ପୂର୍ବତନ କ୍ରିକେଟର ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର ତାଙ୍କର ୧୨ ବର୍ଷର ପୁଅ ସାକ୍ଷୀ ଥିଲେ ଯିଏ ଏସବୁ ଦେଖି ଭୟଭୀତ ହୋଇପଡିଥିଲା।

ମଦ୍ୟପାନ କରି ଅନ୍ୟ ଏକ ଗାଡିକୁ ଧକ୍କା ମାରିବା ଅଭିଯୋଗରେ କାମ୍ବଲିଙ୍କୁ ଗତ ବର୍ଷ ଫେବୃଆରୀରେ ପୋଲିସ ଗିରଫ କରିଥିଲା।

କାମ୍ବଲି ଭାରତ ପାଇଁ ୧୭ଟି ଟେଷ୍ଟରେ ୪ଟି ଶତକ ଓ ୩ଟି ଅର୍ଦ୍ଧଶତକ ସହ ୧୦୮୪ ରନ୍ ସଂଗ୍ରହ କରିଥିଲେ। ଏଥି ସହିତ ସେ ୧୦୪ଟି ଦିନିକିଆରେ ୨ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ସହ ୨୪୭୭ ରନ୍ କରିଥିଲେ । ବିନୋଦ କାମ୍ବଲି ଦୁଇଥର ବିବାହ କରିଛନ୍ତି। ସେ ପ୍ରଥମେ ୧୯୯୮ରେ ନୋଏଲ୍ ଲୁଇସଙ୍କୁ ବିବାହ କରିଥିଲେ | ପୁଣେର ହୋଟେଲ ବ୍ଲୁ ଡାଇମଣ୍ଡରେ ନୋଏଲା ଜଣେ ରିସେପ୍ସନିଷ୍ଟ ଥିଲେ। ପରେ ଉଭୟଙ୍କ ଛାଡପତ୍ର ହୋଇଥିଲା। ଏହା ପରେ କାମ୍ବଲି ମଡେଲ ଆଣ୍ଡ୍ରେୟା ହେଓ୍ବିଟଙ୍କୁ ବିବାହ କରିଥିଲେ। କାମ୍ବଲି ଏବଂ ଆଣ୍ଡ୍ରେୟାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି ।

Comments are closed.