ଜଜ୍‌ଙ୍କୁ ଅଟୋ ଚଢ଼ାଇ ହତ୍ୟା ଘଟଣାର ତଦନ୍ତ କରିବ ସିବିଆଇ

ରାଞ୍ଚି: ଜଜ୍‌ଙ୍କୁ ଅଟୋରିକ୍ସା ଚଢ଼ାଇ ହତ୍ୟା ଘଟଣାର ତଦନ୍ତ ସିବିଆଇ କରିବ । ଏନେଇ ଝାଡ଼ଖଣ୍ଡ ସରକାର ସୁପାରିସ୍ କରିଥିବା ଜଣାପଡିଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଧାନବାଦ ଅତିରିକ୍ତ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କ ସନ୍ଦିଗ୍ଧ ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି । ପୂର୍ବରୁ ଏହି ଘଟଣାର ତଦନ୍ତ ଏସ୍‌ଆଇଟି କରୁଥିଲା ।

ଉଲ୍ଲେଖଯୋଗ୍ୟ, ଜୁଲାଇ ୨୮ରେ ପ୍ରାତଃ ଭ୍ରମଣରେ ବାହାରିଥିବା ଧାନବାଦ ଅତିରିକ୍ତ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦ ଏକ ନିଛାଟିଆ ରାସ୍ତାରେ ଜଗିଂ କରୁଥିବା ବେଳେ ଏକ ଅଟୋରିକ୍ସା ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଏହି ଘଟଣା ସିସିଟିଭିରେ କଏଦ୍ ହୋଇଥିଲା । ଅଟୋରିକ୍ସା ଉଦ୍ଦେଶ୍ୟମୂଳକ ଭାବେ ଆନନ୍ଦଙ୍କୁ ଧକ୍କା ଦେଇଥିବା ସିିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ହୋଇଛି । ରକ୍ତାକ୍ତ ଅବସ୍ଥାରେ ଆନନ୍ଦ ରାସ୍ତା କଡ଼ରେ ପଡ଼ି ରହିଥିଲେ । କିଛି ସମୟ ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ସୁପ୍ରିମକୋର୍ଟ ଏହି ସଙ୍ଗୀନ ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଥିଲେ । ଜଜ୍ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ଘଟଣାର ତଦନ୍ତ ନେଇ ଷ୍ଟାଟସ ରିପୋର୍ଟ ସପ୍ତାହକ ମଧ୍ୟରେ ଦାଖଲ କରିବାକୁ ଝାଡ଼ଖଣ୍ଡ ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ଡିଜିଙ୍କୁ ନିକଟରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।
ମୃତ ଜଜ୍ ଉତ୍ତମ ଆନନ୍ଦଙ୍କ ପରିବାର ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରୁଛନ୍ତି । ରାଜ୍ୟ ପୋଲିସ୍ ପକ୍ଷରୁ ଚାଲିଥିବା ଏହି ଘଟଣାର ତଦନ୍ତରେ ଆନନ୍ଦଙ୍କ ପରିବାର ସନ୍ତୁଷ୍ଟ ନଥିଲେ । ଶୁକ୍ରବାର ଆନନ୍ଦଙ୍କ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସୋରେନ୍ ଭେଟିଥିଲେ । ଏହାପରେ ଏହି ମାମଲାର ତଦନ୍ତ ସିିବିଆଇକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

Comments are closed.