ଧବଳେଶ୍ଵର ପୀଠକୁ ଗଡ଼ିଲା ସିଟି ବସ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଗୋଳାବନ୍ଧ ନିକଟ ଧବଳେଶ୍ୱର ମନ୍ଦିର। ପ୍ରତ୍ୟହ ଏଠାକୁ ବହୁ ଭକ୍ତ ଦର୍ଶନ ଓ ପୂଜା ପାଇଁ ଆସିଥାନ୍ତି। ପାଖରେ ବଙ୍ଗୋପସାଗର ବେଳାଭୂମି ଥିବା ହେତୁ ସମୁଦ୍ର ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣ ପାଲଟିଥାଏ। କୋଳାହଳ ଠାରୁ ଦୂରେଇ ରହୁଥିବା ପର୍ଯ୍ୟଟକ, ଆଧ୍ୟାତ୍ମ୍ୟପ୍ରେମୀଙ୍କ ସକାଶେ ଏହି ସ୍ଥାନ ଅନ୍ୟତମ ଆକର୍ଷଣ। ଏଠାକୁ ବ୍ରହ୍ମପୁର, ଗୋପାଳପୁରରୁ ପକ୍କା ସଡ଼କ ମଧ୍ୟ ରହିଛି। ତେବେ ଧବଳେଶ୍ଵର ପୀଠକୁ ନିୟମିତ ଗାଡ଼ି ବା ବସ୍ ଚଳାଚଳ ନଥିବାରୁ ଅନେକ ସମୟରେ ଲୋକଙ୍କୁ ସମସ୍ୟା ହେଉଥିଲା। ଏବେ ତାହାର ସମାଧାନ ହୋଇପାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ଡଃ ଗୋପବନ୍ଧୁ ଦାଶଙ୍କ ପ୍ରୟାସ କ୍ରମେ ବ୍ରହ୍ମପୁରରୁ ଗୋଳାବନ୍ଧ ଦେଇ ଧବଳେଶ୍ୱର ମନ୍ଦିର ପର୍ଯ୍ୟନ୍ତ ସିଧାସଳଖ ଓ ନିୟମିତ ସିଟି ବସ୍ ଚଳାଚଳ ଆରମ୍ଭ ହୋଇଛି।

ବ୍ରହ୍ମପୁରରୁ ବସଟି ବାହାରି ଡୁରା, କରାପଲ୍ଲୀ ହୋଇ ଧବଳେଶ୍ଵରରେ ପହଞ୍ଚିବ। ପୁଣି ସେହି ରୂପରେ ବ୍ରହ୍ମପୁର ଫେରିବ। ମଙ୍ଗଳବାର ବ୍ରହ୍ମପୁର ସର୍କିଟ୍ ହାଉସ୍ ଠାରେ ଏହି ବସ୍ ସେବା ଉଦଘାଟନ ବେଳେ ଡଃ ଗୋପବନ୍ଧୁ ଦାଶଙ୍କ ସମେତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ବରୀ ଦୋରା, ବିଡିଏ ସଚିବ ସମ୍ବିତ ରାଉତ, ରଙ୍ଗେଇଲୁଣ୍ଡା ବିଡିଓ ବିଶ୍ବଜିତ ରାୟ, କନିଷି ତହସିଲଦାର ପ୍ରଳୟାନନ୍ଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବସ୍ ସେବା ଦ୍ବାରା ଆଖପାଖ ଅଞ୍ଚଳର ହଜାର ହଜାର ଗ୍ରାମବାସୀ, ବହୁ ଶ୍ରଦ୍ଧାଳୁ ଉପକୃତ ହୋଇପାରିବେ।

Comments are closed.