ଅଢ଼େଇ ଦିନରେ ଲଢ଼େଇ ହାରିଲା ଭାରତ, ତୃତୀୟ ଟେଷ୍ଟକୁ ୯ ଓ୍ବିକେଟରେ ଜିତିଲା ଅଷ୍ଟ୍ରେଲିଆ

ଇନ୍ଦୋର: ନାଗପୁର ଓ ଦିଲ୍ଲୀ ଟେଷ୍ଟ ଭଳି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମଧ୍ୟ ଅଢ଼େଇ ଦିନରେ ଶେଷ ହୋଇଛି । କେବଳ ଫରକ ଏତିକି ଯେ ଏଥର ଭାରତୀୟ ଦଳ ମାଟି କାମୁଡିଛି। ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚର ଅଷ୍ଟ୍ରେଲିଆ ୯ ଓ୍ବିକେଟରେ ଭାରତକୁ ହରାଇ ଦେଇଛି । ଅଷ୍ଟ୍ରେଲିଆ ଆଗରେ ମାତ୍ର ୭୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଅଷ୍ଟ୍ରେଲିଆ ଗୋଟିଏ ଓ୍ବିକେଟ୍ ହରାଇ କେବଳ ପ୍ରଥମ ସେସନରେ ହିଁ ଔପଚାରିକତା ପୂରଣ କରିଥିଲା ।

ପ୍ରଥମ ଦୁଇଟି ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଅଷ୍ଟ୍ରେଲିଆ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଏହି ବିଜୟ ସହ ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ମଧ୍ୟ ସ୍ଥାନ ପକ୍କା କରିଛି । ଏହି ପରାଜୟର ସତ୍ତ୍ବେ ଭାରତ ସିରିଜରେ ୨-୧ ରେ ଅଗ୍ରଣୀ ରହିଛି । ତେବେ ବିଶ୍ଵ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ଏବେ ଭାରତକୁ ସିରିଜର ଚତୁର୍ଥ ଟେଷ୍ଟ ଜିତିବାକୁ ପଡ଼ିବ ।

ଅଷ୍ଟ୍ରେଲିଆ ୭୫ ରନ୍‌ର ଟାର୍ଗେଟକୁ ପିଛା କରିବାକୁ ଯାଇ ତୃତୀୟ ଦିନର ପ୍ରଥମ ଓଭରରେ ଓପନର ଉସମାନ ଖାୱାଜା (୦) ଙ୍କ ୱିକେଟ୍ ହରାଇଥିଲା। ଖାୱାଜାଙ୍କୁ ଓ୍ବିକେଟକିପରଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ଅଶ୍ବିନ ଭାରତକୁ ଏହି ସଫଳତା ଦେଇଥିଲେ । ଲାଗୁଥିଲା ଅଷ୍ଟ୍ରେଲିଆର ବିଜୟ ସହଜ ହେବ ନାହିଁ । କିନ୍ତୁ ଟ୍ରାଭିସ୍ ହେଡ୍ (୪୯) ଏବଂ ମାର୍ନୁସ୍ ଲାବୁଶେନ୍ (୨୮*) ଙ୍କ ଭାରତକୁ ଆଉ କୌଣସି ସୁଯୋଗ ଦେଇନଥିଲେ ‌। ବିଶେଷକରି ହେଡ୍ ଭାରତୀୟ ସ୍ପିନରଙ୍କ ବିରୋଧରେ ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲେ, ଯାହା ସଫଳ ସାବ୍ୟସ୍ତ ହୋଇଥିଲା । ଦୁହେଁ ଦ୍ବିତୀୟ ଓ୍ବିକେଟ୍ ଭାଗିଦାରିରେ ଅପରାଜିତ ୭୮ ରନ୍ର ଯୋଗକରି ଅଷ୍ଟ୍ରେଲିଆର ବିଜୟ ପଥ ସୁଗମ କରିଥିଲେ । ଦ୍ବିତୀୟ ଇନିଂସରେ ୮ ଓ୍ବିକେଟ୍ ସହ ମ୍ୟାଚରେ ମୋଟ ୧୧ ଓ୍ବିକେଟ୍ ନେଇଥିବା ଅଷ୍ଟ୍ରେଲୀୟ ସ୍ପିନର ନାଥନ ଲିଅନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

Comments are closed.