ବେଜବରୁଆଙ୍କ ସ୍ମୃତିରକ୍ଷା ପାଇଁ ଆସାମ ସରକାରଙ୍କ ପୁଣି ୪୭.୫୦ ଲକ୍ଷର ଅନୁଦାନ

ସମ୍ବଲପୁର: ସମ୍ବଲପୁରରେ ଓଡ଼ିଶା ଏବଂ ଆସାମ ସରକାରଙ୍କ ମିଳିତ ଉଦ୍ୟମରେ ଅହମିଆ କବି ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହର ପୁନରୁଦ୍ଧାର କାମ ଶେଷ ହୋଇଛି। ବର୍ତ୍ତମାନ ତାଙ୍କ ବାସଭବନର ପୁନରୁଦ୍ଧାର କାମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆସାମ ସରକାର ପୂର୍ବରୁ ସ୍ମୃତିରକ୍ଷା ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ଦେଇଥିବା ବେଳେ ବର୍ତ୍ତମାନ ପୁଣି ସାଢେ ୪୭ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସମ୍ବଲପୁର ଗସ୍ତରେ ଆସିଥିବା ବେଜବରୁଆ ସ୍ମୃତି କମିଟିର ପ୍ରତିନିଧି ଦଳ ଏହି ସୂଚନା ଦେଇଛନ୍ତି। ଏହି ଦଳ ଓଡ଼ିଶା ସରକାରଙ୍କ ପଦକ୍ଷେପ ପାଇଁ ସାଧୁବାଦ ଜଣାଇଛନ୍ତି।

ବେଜବରୁଆ ଭବନର ଜୀର୍ଣ୍ଣୋଦ୍ଧାର ପାଇଁ ଆସାମ ସରକାର ଦ୍ବିତୀୟ କିସ୍ତିରେ ୪୭ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ପ୍ରଥମ ଦଫାରେ ଆସାମ ସରକାର ୫୦ ଲକ୍ଷ ଟଙ୍କା ଏବଂ ଓଡ଼ିଶା ସରକାର ୫୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଏ ଅନୁଦାନ ଅତିରିକ୍ତ ବେଜବରୁଆ ବାସଗୃହ ସମ୍ମୁଖରେ ସାହିତ୍ଯରଥୀଙ୍କ ଏକ ପୂର୍ଣ୍ଣ ଆବୟବ ପ୍ରତିମୂର୍ତ୍ତି ପାଇଁ ଆସାମ ସରକାର ୫୦ ଲକ୍ଷ ଟଙ୍କା ମଂଜୁର କରିଥିବା ବେଳେ ପ୍ରଥମ କିସ୍ତିରେ ୨୫ ଲକ୍ଷ ଟଙ୍କା ବେଜବରୁଆ ସ୍ମୃତି କମିଟି, ଗୌହାଟିକୁ ପ୍ରଦାନ କରାଗଲାଣି। ଗୌହାଟି ଓ ସମ୍ବଲପୁର ମଧ୍ଯରେ ସପ୍ତାହରେ ତିନିଦିନ ଟ୍ରେନ ପ୍ରଚଳନ ପାଇଁ ଆସାମର ମୁଖ୍ଯମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । ଏହା ବ୍ଯତୀତ ଗଂଗାଧର ମେହେର ବିଶ୍ବବିଦ୍ୟାଳୟରେ ବେଜବରୁଆ ଚେୟାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବାକୁ ମୁଖ୍ଯମନ୍ତ୍ରୀ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ୮୫ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସମ୍ବଲପୁରକୁ ପଦାର୍ପଣ କରିଥିବା ବେଜବରୁଆ କମିଟି, ଆସାମର କର୍ମକର୍ତ୍ତାଗଣ ଉପରୋକ୍ତ ସୂଚନା ଦେଇଛନ୍ତି। ଆଜି ପୂର୍ବାହ୍ନରେ ଏଡିଏମ ଅଜାମ୍ବର ମହାନ୍ତି ତଥା ସମ୍ବଲପୁରର ମାନ୍ଯଗଣ୍ଯ ବ୍ଯକ୍ତି, କବି ଲେଖକଙ୍କ ସାନିଧ୍ୟରେ ବେଜବରୁଆ କମିଟି ଆସାମର ସଭାପତି ଅବସରପ୍ରାପ୍ତ ମୁଖ୍ଯଯନ୍ତ୍ରୀ ପ୍ରଦ୍ଯୁତ କୁମାର ଚୌଧୁରୀ, ସମ୍ପାଦକ ରଣ୍ଟୁ ଡେକା, ଜିଏସଟି ଏବଂ ଅବକାରୀ କମିଶନର ରାକେଶ ଅଗ୍ରଓ୍ୱାଲ, ଲେଖକ ଗୋପାଲ ଜଲାନ, କମଳେନ୍ଦ୍ର ଭରାଲି, ସପନଶୀଲ ଶର୍ମା, ଗୌହାଟି ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ଯାପକ ପ୍ର ହରିପ୍ରସାଦ ଶର୍ମା ତଥା ଓଡିଆରୁ ଅସମୀୟା ତଥା ଅସମୀୟାରୁ ଓଡ଼ିଆ ଭାଷାକୁ ରୂପାନ୍ତର କରୁଥିବା ଲେଖିକା ନିର୍ମାଲୀ ମହାନ୍ତ ପ୍ରମୁଖ ସାଧନା ଗୃହରେ ପୁଷ୍ପ ଅର୍ପଣ ପୂର୍ବକ ବେଜବରୁଆଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ସାଧନା ଗୃହର ଜୀର୍ଣ୍ଣୋଦ୍ଧାରରେ ଆନନ୍ଦ ବ୍ଯକ୍ତ କରିବା ସହିତ ବାସଗୃହର ଜୀର୍ଣ୍ଣୋଦ୍ଧାର କାର୍ଯ୍ୟ ନିରୀକ୍ଷଣ କରିଥିଲେ। ସନ୍ଧ୍ଯା ସମୟରେ ସାଧନା ଗୃହରେ ଅତିଥିମାନଙ୍କ ଗହଣରେ ୮୫ଟି ଦୀପ ପ୍ରଜ୍ବାଳନ କରାଯାଇଥିଲା।
୮୫ ତମ ଶ୍ରାଦ୍ଧବାର୍ଷିକୀ ପାଳନର ଅବ୍ଯବହିତ ପୂର୍ବରୁ ଶନିବାର ସନ୍ଧ୍ଯାରେ ସାମ୍ବାଦିକ ଭବନରେ ଦୀପକ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇ ଭାବ ବିନିମୟ କରାଯାଇଥିଲା। ଓଡିଶା- ଆସାମ ମଧ୍ଯରେ ସାହିତ୍ୟ- ସଂସ୍କୃତିର ସମନ୍ବୟ ଉପରେ ଗୁରୁତ୍ବ ଦିଆଯାଇଥିଲା। ଅବସରପ୍ରାପ୍ତ କଲେଜ ଅଧ୍ଯକ୍ଷ, ଗଂଗାଧର ମେହେର ବିଶ୍ବବିଦ୍ୟାଳୟ ଭୀମଭୋଇ ଚେୟାରର ପ୍ରଫେସର କବି ପ୍ରଦୀପ ପଣ୍ଡା ଏଥିରେ ଅତିଥି ଭାବରେ ଯୋଗ ଦେଇଥିବା ବେଳେ କବି ସୌଭାଗ୍ୟବନ୍ତ ମହାରଣା, ଡା ଗୁଣ ସାଗର ଦାଶ, କବି ଦୁର୍ଗା ପଣ୍ଡା ଏବଂ ଆସାମ ପରିଦର୍ଶନକାରୀ ଦଳର ସଦସ୍ଯଗଣ ବକ୍ତବ୍ଯ ରଖିଥିଲେ। ସ୍ଥାନୀୟ କବି, ଲେଖକ ଏଥିରେ ଯୋଗ ଦେଇଥିଲେ।

Comments are closed.