ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ବୋମାମାଡ଼

ଶିଲଂ: ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ୍ କେ.ସାଙ୍ଗମାଙ୍କ ଘରୋଇ ବାସଭବନ ଉପରକୁ କିଛି ଅଜଣା ଦୁର୍ବୃତ୍ତ ପେଟ୍ରୋଲ ବୋମା ଫିଙ୍ଗିଛନ୍ତି । ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ପୋଲିସ୍ କହିଛି ।

ପୋଲିସ୍ କହିବା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢ଼େ ଦଶଟା ସମୟରେ ବାଇକ୍‌ରେ କିଛି ଦୁର୍ବୃତ୍ତ ଆସି ମୁଖ୍ୟମନ୍ତ୍ରୀ ସାଙ୍ଗ୍‌ମାଙ୍କ ଘର ଉପରକୁ ଦୁଇଟି ପେଟ୍ରୋଲ ବୋମା ଫିଙ୍ଗିଥିଲେ । ଗୋଟିଏ ଘର ପଛପଟେ ଏବଂ ଅନ୍ୟଟି ବାସଭବନ ପାଶ୍ୱର୍ରେ ପଡ଼ିଥିଲା । ତେବେ ଏହି ଘଟଣାରେ କିଛି କ୍ଷୟକ୍ଷତି ହୋଇନଥିବା ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ କହିଛନ୍ତି । ବୋମା ମାଡ଼ ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା କର୍ମଚାରୀ ନିଆଁକୁ ତୁରନ୍ତ ଲିଭାଇ ଦେଇଥିଲେ ବୋଲି ସେ କହିଛନ୍ତି ।

ଗତକାଲି ସ୍ୱାଧୀନତା ଦିବସ ଅବସରରେ ରାଜଧାନୀ ଶିଲଂ ଓ ଆଖପାଖ ଅଞ୍ଚଳରେ ଭଙ୍ଗାରୁଜା ଓ ହିଂସା ପରେ ରାଜ୍ୟ ସରକାର ସହରରେ କର୍ଫ୍ୟୁ ଲଗାଇବା ସହ ଚାରି ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ କରିଥିଲେ । ଏହାରି ଭିତରେ ପୋଲିସ୍ ଗୁଳିରେ ଜଣେ ଉଗ୍ରବାଦୀର ମୃତ୍ୟୁକୁ ନେଇ ହିଂସା ଘଟଣାରେ ଗୃହମନ୍ତ୍ରୀ ଲଖମେନ ରିମ୍ବୁଇ ଇସ୍ତଫା ଦେଇଛନ୍ତି । ନିଷିଦ୍ଧ ଉଗ୍ରବାଦୀ ଗୋଷ୍ଠୀ ହାଇନବଟ୍ରାପ୍ ନ୍ୟାସନାଲ ଲିବରେସନ୍ କାଉନସିଲର ଆତ୍ମଘୋଷିତ ମହାସଚିବ ଚେଷ୍ଟରଫିଲ୍ଡ ଥଙ୍ଗାଖିୟୁଙ୍କୁ ଗୁଳିକରି ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ରିମ୍ବୁଇ ।

Comments are closed.