ଜେସିକା ଲାଲଙ୍କ ଭଉଣୀ ସବ୍ରିନାଙ୍କ ଦେହାନ୍ତ, ଜେସିକାଙ୍କୁ ନ୍ୟାୟ ଦେବା ପାଇଁ ଲଢିଥିଲେ ଲମ୍ବା ଆଇନଗତ ଲଢେ଼ଇ

ନୂଆଦିଲ୍ଲୀ: ଜେସିକା ଲାଲଙ୍କ ଭଉଣୀ ସବ୍ରିନା ଲାଲଙ୍କ ରବିବାର ସନ୍ଧ୍ୟାରେ ଦେହାନ୍ତ ହୋଇଯାଇଛି। ତାଙ୍କ ଭାଇ ରଣଜିତ ଲାଲ ଏହି ସୂଚନା ଦେଇଛନ୍ତି। ସବ୍ରିନା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଗତକାଲି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ତାଙ୍କ ଭାଇ ରଣଜିତ୍ କହିଛନ୍ତି । ଜେସିକା ଲାଲ ହତ୍ୟାକାରୀଙ୍କୁ କାଠଗଡ଼ାକୁ ଆଣିବା ପାଇଁ ଲମ୍ବା ଆଇନଗତ ଲଢେ଼ଇ କରି ଚର୍ଚ୍ଚାରେ ରହିଥିଲେ ସବ୍ରିନା ।

ଗତ ବର୍ଷ ସାବ୍ରିନା ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ମହିଳାମାନଙ୍କୁ ନ୍ୟାୟ ପ୍ରଦାନରେ ସହଯୋଗ କରିବା ପାଇଁ ତାଙ୍କ ଭଉଣୀଙ୍କ ସ୍ମୃତିରେ ଏକ ଫାଉଣ୍ଡେସନ ଆରମ୍ଭ କରିବାର ଯୋଜନା ବିଷୟରେ କହିଥିଲେ।

୧୯୯୯ରେ ଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ ଜେସିକା ଲାଲଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ଅଭିଯୁକ୍ତ ଥିଲେ ଜଣେ ପ୍ରଭାବଶାଳୀ ସାଂସଦଙ୍କ ପୁଅ ମନୁ ଶର୍ମା । ଜେସିକାଙ୍କ ଭଉଣୀ ସବ୍ରିନାଙ୍କ ଦୀର୍ଘ ଦିନର ଆଇନଗତ ଲଢେ଼ଇ ପରେ ମନୁ ଶର୍ମା ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା ।

Comments are closed.