ସମ୍ବଲପୁରରେ ହନୁମାନ ଜୟନ୍ତୀ ପୂର୍ବରୁ ବାଇକ ରାଲି ବେଳେ ହିଂସା, ୧୪୪ ଧାରା 

ସମ୍ବଲପୁର : ସମ୍ବଲପୁରରେ ଆଜି ସନ୍ଧ୍ୟାରେ ହନୁମାନ ଜୟନ୍ତୀ ପୂର୍ବରୁ ଅନୁଷ୍ଠିତ ବାଇକ ରାଲି ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଛି। ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ଆୟୋଜିତ ବାଇକ ରାଲି ମୋତିଝରଣକୁ ପହଞ୍ଚିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। ବ୍ୟାପକ ପୋଡା ଜଳା ପଥର ମାଡରେ ୧୦ ପୁଲିସ ଅଧିକାରୀଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ସେପଟେ ଏହି ହିଂସା ସହରର ଅନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ପରିସ୍ଥିତିକୁ ଦେଖି ରାତି ପ୍ରାୟ ୮ଟା ବେଳକୁ ଉପଜିଲ୍ଲାପାଳ ସମ୍ବଲପୁର ସହରରେ ୧୪୪ ଧାରା ଜାରି କରିଛନ୍ତି।

ହନୁମାନ ଜୟନ୍ତୀ ବେଳେ ପ୍ରତିବର୍ଷ ସାଂପ୍ରଦାୟିକ ଉତ୍ତେଜନାର ଆଶଂକା ଥିବାରୁ ଏହାକୁ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ବ ଦିଆଯାଇଥାଏ। ତେବେ, ଜୟନ୍ତୀର ଦୁଇଦିନ ପୂର୍ବରୁ ସମିତି ପକ୍ଷରୁ ବିଶାଳ ବାଇକ ରାଲି ବାହାରିଥାଏ। ଆଉ ଆଜି ସନ୍ଧ୍ୟାରେ ଏହି ବାଇକ ରାଲି ବାହାରିଥିବା ବେଳେ ମୋତିଝରଣରେ ଦୁଇ ଗୋଷ୍ଠୀ ମଧ୍ୟରେ ବ୍ୟାପକ ସଂଘର୍ଷ ଘଟିଛି। ପଥର ମାଡରେ ଅତିରିକ୍ତ ଏସପି, ୨ ଥାନାଧିକାରୀଙ୍କ ସମେତ ୧୦ରୁ ଉର୍ଦ୍ଧ୍ବ ପୁଲିସ ଅଧିକାରୀ ମିଶି ମୋଟ୍ ୫୦ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ସେପଟେ, ଅନେକ ଗାଡିକୁ ପୋଡି ଭାଙ୍ଗି ଦିଆଯାଇଥିବା ବେଳେ ଫତର ମାଡରେ ବହୁ ଘର କାଚ ଭାଙ୍ଗି ଯାଇଛି। ପରିସ୍ଥିତିକୁ ଦେଖି ସହର ସାରା ପୁଲିସ ମୁତୟନ କରାଯାଇଛି। ଆଉ ସହର ସାରା ୧୪୪ ଧାରା ଜାରି କରାଯାଇଛି।

Comments are closed.