ଆୟରଙ୍କ ଶତକ ସତ୍ତ୍ୱେ ହାରିଲା କେକେଆର୍‌, ମୁମ୍ବାଇ ୫ ୱିକେଟରେ ବିଜୟୀ

ମୁମ୍ବାଇ: ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ଶତକୀୟ ପାଳି ସତ୍ତ୍ୱେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ରବିବାର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାସ୍ତ ହୋଇଛି । ମୁମ୍ବାଇ ଏହି ମ୍ୟାଚକୁ ୫ ୱିକେଟରେ ଜିତିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍ ଭେଙ୍କଟେଶଙ୍କ ଚମତ୍କାର ଶତକ ବଳରେ ୬ ୱିକେଟ୍ ହରାଇ ୧୮୫ ରନ୍ କରିଥିଲା । ଦଳ ପକ୍ଷରୁ ଭେଙ୍କଟେଶ ଆୟର ମାତ୍ର ୫୧ଟି ବଲରେ ୬ଟି ଚୌକା ଓ ୯ଟି ଛକା ସହ ୧୦୪ ରନର ଷ୍ଟ୍ରୋକପୂର୍ଣ୍ଣ ଇନିଂସ୍ ଖେଳିଥିଲେ । ହେଲେ କେକେଆର୍ ପ୍ରଦତ୍ତ ୧୮୬ ରନର ବିଜୟଲକ୍ଷ୍ୟକୁ ମୁମ୍ବାଇ ୧୭.୪ ଓଭରରେ ମାତ୍ର ୫ ୱିକେଟ୍ ହରାଇ ହାସଲ କରିନେଇଥିଲା ।

ମୁମ୍ବାଇ ପକ୍ଷରୁ ଇଶାନ କିଶନ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ମାତ୍ର ୨୫ଟି ବଲରେ ୫ଟି ଚୌକା ଓ ସମାନ ସଂଖ୍ୟକ ଛକା ସହ ୫୮ ରନ୍ କରିଥିଲେ । କାମଚଳା ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରି ୨୫ଟି ବଲରେ ୪ଟି ଚୌକା ଓ ୩ଟି ଛକା ସହ ଦ୍ରୁତ ୪୩ ରନ୍ କରିଥିଲେ । ମୁମ୍ବାଇର ଏହା କ୍ରମାଗତ ଦ୍ୱିତୀୟ ବିଜୟ । ଅନ୍ୟପକ୍ଷେ କେକେଆରର ଏହା ଲଗାତାର ଦ୍ୱିତୀୟ ପରାଜୟ । କେକେଆର୍ ପରାସ୍ତ ହେବା ସତ୍ତ୍ୱେ ଶତକୀୟ ପାଳି ପାଇଁ ଭେଙ୍କଟେଶ ଆୟର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

୧୮୭ ରନର ଟାର୍ଗେଟକୁ ପିଛା କରିବାକୁ ଯାଇ ମୁମ୍ବାଇକୁ କିଶନ ଓ ରୋହିତ ଶର୍ମା ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ୱିକେଟରେ ମାତ୍ର ୪.୫ ଓଭରରେ ୬୫ ରନ୍ ଯୋଗ କରିଥିଲେ । ବିଶେଷକରି କିଶନ ପ୍ରଥମ ବଲରୁ ହଁ ଆକ୍ରମଣ ଆଭିମୁଖ୍ୟ ଆପଣାଇଥିଲେ । ପେଟ ଗୋଳମାଳ ଯୋଗୁଁ ରୋହିତ ଆଜି ପ୍ରଥମ ଇନିଂସରେ ଖେଳିନଥିଲେ । ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ହେଲେ ରୋହିତ ‘ଇମ୍ପାକ୍ଟ ପ୍ଲେୟାର’ ଭାବେ ବ୍ୟାଟିଂ କରିବାକୁ ଆସିଥିଲେ । ରୋହିତ୧୩ଟି ବଲରେ ଗୋଟିଏ ଚୌକା ଓ ୨ଟି ଛକା ସହ ୨୦ ରନ୍ କରିଥିଲେ । ତାଙ୍କୁ ଆଉଟ୍ କରି ଯୁବ ସ୍ପିନର ସୂୟଶ ଶର୍ମା କେକେଆରକୁ ପ୍ରଥମ ସଫଳତା ଦେଇଥିଲେ । କିଶନ ଏକ ବିସ୍ଫୋରକ ଅର୍ଦ୍ଧଶତକ ପରେ ବରୁଣ ଚକ୍ରବର୍ତ୍ତିଙ୍କ ବଲରେ ଆଉଟ୍ ହୋଇଥିଲେ । ଉଭୟ ଓପନର ଏକ ଭଲ ଷ୍ଟାର୍ଟ ଦେବା ପରେ କାମଚଳା ଅଧିନାୟକ ସୂର୍ଯ୍ୟକୁମାର ଓ ତିଳକ ବର୍ମା ମୁମ୍ବାଇ ସ୍କୋରକୁ ଆଗେଇ ନେଇଥିଲେ । ପ୍ରଥମ ତିନୋଟି ମ୍ୟାଚରେ ବିଫଳ ହୋଇଥିବା ସୂର୍ଯ୍ୟକୁମାରଙ୍କୁ ଆଜି ତାଙ୍କ ଚିରାଚରିତ ଫର୍ମରେ ଦେଖିବାକୁ ମିଳିଥିଲା । ତିଳକ ଓ ସୂର୍ଯ୍ୟକୁମାର ତୃତୀୟ ୱିକେଟରେ ୬୦ ରନ୍ ଯୋଗ କରିଥିଲେ ।

ତିଳକ ୨୫ଟି ବଲରେ ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୦ ରନ୍ କରିବା ପରେ ସୂୟଶ ଶର୍ମାଙ୍କ ବଲରେ ବୋଲ୍ଡ ହୋଇଥିଲେ । ମୁମ୍ବାଇକୁ ବିଜୟ ପାଇଁ ଆଉ ୧୦ ରନ୍ ଆବଶ୍ୟକ ହେଉଥିବା ବେଳେ ସୂର୍ଯ୍ୟକୁମାର ମଧ୍ୟ ଆଉଟ୍ ହୋଇଯାଇଥିଲେ । ତାଙ୍କ ୱିକେଟ୍ ଶାର୍ଦ୍ଦୁଲ ଠାକୁରଙ୍କୁ ମିଳିଥିଲା । ଟିମ୍ ଡେଭିଡ୍ ଓ କାମେରନ୍ ଗ୍ରୀନ୍ ଔପଚାରିକତା ପୂରଣ କରିଥିଲେ । ଡେଭିଡ୍ ୧୩ଟି ବଲରେ ୨୪ ରନ୍‌୍ କରି ଅପରାଜିତ ରହିଥିବା ବେଳେ ଗ୍ରୀନ୍ ୧ ରନ୍ କରି ନଟ୍ ଆଉଟ୍ ରହିଥିଲେ ।

ପୂର୍ବରୁ ମୁମ୍ବାଇ ଟସ୍ ଜିତି କେକେଆରକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । କେକେଆର ଆରମ୍ଭ ଭଲ ହୋଇନଥିଲା । ଦଳର ଦୁଇ ଓପନର ଶୀଘ୍ର ଆଉଟ୍ ହୋଇଯାଇଥିଲେ । ନାରାୟଣ ଜଗଦୀଶନ ଖାତା ଖୋଲିନପାରି ପ୍ୟାଭିଲିୟନ ଫେରିଥିବା ବେଳେ ରହମନୁଲ୍ଲା ଗୁରବାଜ ୮ ରନ୍ କରି ପୀୟୁଷ ଚାୱଲାଙ୍କ ଶିକାର ହୋଇଥିଲେ । ଅଧିନାୟକ ନୀତିଶ ରାଣା ମଧ୍ୟ ଫେଲ୍ ମାରିଥିଲେ । ସେ କେବଳ ୫ ରନ୍ କରି ଆଉଟ୍ ହୋଇଥିଲେ । ଦଳ ଟପ୍ ଅର୍ଡର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ଭେଙ୍କଟେଶ ଆୟର ତାଙ୍କ ଆଇପିଏଲ୍ କ୍ୟାରିୟରର ଶ୍ରେଷ୍ଠ ପାଳି ଖେଳିଥିଲେ । ସେ ଏକ ଧମାକାଦାର ଶତକ ହାସଲ କରିଥିଲେ । ଏହା ତାଙ୍କର ପ୍ରଥମ ଆଇପିଏଲ୍ ଶତକ । ସେ ଚଳିତ ସିଜନରେ ଦ୍ୱିତୀୟ ବ୍ୟାଟର ଭାବେ ଶତକ ହାସଲ କରିଥିଲେ । ଆୟରଙ୍କ ବ୍ୟତୀତ ଅଣ୍ଡ୍ରେ ରସେଲ ଶେଷ ଆଡ଼କୁ ୧୧ଟି ବଲରେ ୩ଟି ଚୌକା ଓ ଗୋଟିଏ ଛକା ସହ ଦ୍ରୁତ ତଥା ଅପରାଜିତ ୨୧ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରିଙ୍କୁ ସିଂହ ୧୮, ଶାର୍ଦ୍ଦୁଲ ଠାକୁର ୧୩ ରନ୍ କରିଥିଲେ । ମୁମ୍ବାଇ ତରଫରୁ ହ୍ରିତିକ ଶୋକିନ୍ ୨ଟି ୱିକେଟ୍ ନେଇଥିବା ବେଳେ ଗ୍ରୀନ୍‌, ଡୁଆନ ଜାନସେନ୍‌, ଚାୱଲା ଓ ରାଇଲି ମେରେଡିଥ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

Comments are closed.