ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ନଦୀ ନାଳ ପାର ହୋଇ ୫ କିମି ଚାଲିଲା ମେଡିକାଲ୍ ଟିମ୍

ବ୍ରହ୍ମପୁର: ଦୁର୍ଗମ ଭୌଗୋଳିକ ସ୍ଥିତି ସ୍ଵାସ୍ଥ୍ୟ ଟିମ୍‌ର ମନୋବଳକୁ ହ୍ରାସ କରିପାରେନି। ବରଂ ଉପାନ୍ତ ଓ ଦୁର୍ଗାମ ଅଞ୍ଚଳବାସୀଙ୍କ ନିକଟରେ ଚିକିତ୍ସା ସେବା ପହଞ୍ଚାଇବା ପାଇଁ ଦୃଢ଼ ଇଚ୍ଛାଶକ୍ତି ସମସ୍ତ ଆହ୍ବାନକୁ ପାର କରିବାରେ ସହାୟକ ସାଜେ। ଆନ୍ଧ୍ରପ୍ରଦେଶ ଏବଂ ଆମ ରାଜ୍ୟର ଗଜପତି ଜିଲ୍ଲା ସୀମାକୁ ଲାଗିଥିବା ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍ ତଥା ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଆଙ୍ଗୁଲି ଉପସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରୀ ଟିମ୍ କିନ୍ତୁ ଯେଭଳି ରୋଗୀ ସେବା ପାଇଁ ନିଷ୍ଠାର ସହ ସମସ୍ତ ବିପରୀତ ପରିସ୍ଥିତି ଓ ସମସ୍ୟାକୁ ସମ୍ମୁଖୀନ ହୋଇଥାନ୍ତି ବାସ୍ତବରେ ତାହା ପ୍ରେରଣାଦାୟୀ।

ରାଜ୍ୟ ସରକାରଙ୍କ ମନ୍ତ୍ର ପ୍ରତିଟି ଲୋକ ପାଖରେ ସରକାରୀ ଯୋଜନାର ସୁଫଳ ମିଳୁ, କେହି ଯେମିତି ଚିକିତ୍ସା ଅଭାବରୁ ଜୀବନ ନହାରନ୍ତି ତାହାର ବାସ୍ତବ ରୂପାୟନ ପାଇଁ ଏଠିକାର ସ୍ୱାସ୍ଥ୍ୟ ଟିମ୍ ଯେଭଳି ପ୍ରତିଟି ଚ୍ୟାଲେଞ୍ଜକୁ ପଛରେ ପକାଇ ଦୁର୍ଗମ ଇଲାକାରେ ପହଞ୍ଚି ଲୋକଙ୍କ ଚିକିତ୍ସା କରିଥାନ୍ତି ତାହା ଆମ ରାଜ୍ୟର ସ୍ୱାସ୍ଥ୍ୟସେବାର ସୁଦୂରପ୍ରସାରୀ ଅବଦାନକୁ ସୂଚାଇଥାଏ।

ପାତ୍ରପୁର ବ୍ଳକର ଉପାନ୍ତ ଆଙ୍କୁଲି ଓ ବୁରାତାଲ ପଞ୍ଚାୟତର ଅନେକ ଗାଁର ଦୁର୍ଗମ ଭୌଗୋଳିକ ସ୍ଥିତି ସ୍ଵାସ୍ଥ୍ୟ ସେବା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ରହି ଆସିଛି। ସଦର ମହକୁମା ଠାରୁ ୨୫ କିମି ଦୂର ଆବଡ଼ାଖାବଡ଼ା ସଡ଼କ ପଥରେ ଯିବା ପରେ ପଡ଼େ ବାହୁଦା ନଦୀ। ସର୍ବଦା ପାହାଡ଼ିଆ ପାଣିର ପ୍ରଖର ସ୍ରୋତରେ ଭରପୁର ଏହି ନଦୀରେ ରହିଛି ବାଘଲଟି ଜଳଭଣ୍ଡାର। ଉକ୍ତ ଡ୍ୟାମ୍ ପାର କରିବାକୁ ହେଲେ ଦେଶୀ ମୋଟରଚାଳିତ ଡଙ୍ଗାରେ ଗଭୀର ପାଣି ଉପରେ ପ୍ରାୟ ୪୫ ମିନଟ୍‌ ଯାତ୍ରା କରିବାକୁ ହୁଏ। ଏମିତିକି ମୋଟରର ଇନ୍ଧନ ସରିଯିବାରୁ ଥରେ ଡ୍ୟାମ୍ ମଝିରେ ଡଙ୍ଗା ଅଟକି ଯିବା , ଆଉ ଥରେ ଡଙ୍ଗାର ମେସିନ୍ ମାଛଧରା ଜାଲରେ ଫସିଯିବା କାରଣରୁ ଜଳରାଶି ଘେରରେ ଅଟକି ରହିବା ଭଳି ସ୍ଥିତି ମଧ୍ୟ ଘଟି ସାରିଛି। ତଥାପି ଦୁର୍ଗମ ଯାତ୍ରା ଏତିକିରେ ସରେନି। ଡ୍ୟାମ୍ ଆରପଟେ ପହଞ୍ଚି ସେପଟେ ଥିବା ବିଭିନ୍ନ ଆଦିବାସୀ ବହୁଳ ଗାଁକୁ ପହଞ୍ଚିବା ସକାଶେ ୩ରୁ ୫ କିମି ଚାଲି ଚାଲି ପାହାଡ଼ ଚଢ଼ି ଓ ଜଙ୍ଗଲ ମଧ୍ୟ ଦେଇ ଯିବାକୁ ହୁଏ। ତା ମଧ୍ୟରେ ବି ୩- ୪ଟି ପ୍ରଖର ସୁଅର ନାଳ ପାର କରିବାକୁ ହୁଏ। ବର୍ଷାଦିନେ ପାହାଡ଼ରୁ ଦ୍ରୁତ ଗତିରେ ଖସି ଆସୁଥିବା ପାଣିର ସୁଅ ଏଭଳି ନାଳକୁ ବିପଦଜନକ କରି ତୋଳେ।

ତଥାପି ଏ ସମସ୍ତ ଆହ୍ବାନକୁ ପାର କରି ସ୍ୱାସ୍ଥ୍ୟ ଟିମ୍ ବେହେରାପୁଟ, ସିରିସଗଣ୍ଡ, ଏଲଗଲ, ବଣିଆବସା, ମଡୁଆ ଆଦି ଉପାନ୍ତ, ଦୁର୍ଗମ ଗାଁ ମାନଙ୍କରେ ପହଞ୍ଚେ। ସାଧାରଣ ସ୍ୱାସ୍ଥ୍ୟ ସେବା, ଟିକାକରଣ, ରକ୍ତ ପରୀକ୍ଷା, ଦନ୍ତ ପରୀକ୍ଷା, ନିଃଶୁଳ୍କ ଔଷଧ ବିତରଣ, ଟିବି- କୁଷ୍ଠ- ମ୍ୟାଲେରିଆ ନିରାକରଣ, ଜନସ୍ୱାସ୍ଥ୍ୟ ସଚେତନତା, ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଆଦି ଯାବତୀୟ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି ଏଠିକାର ସ୍ୱାସ୍ଥ୍ୟ ଟିମ୍। ସୋମବାର ଅମ୍ଳାନ (ଆମେନିଆମୁକ୍ତ ଲକ୍ଷ୍ୟ ଅଭିଯାନ) ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡା. ସମ୍ବିତ ବେଗରାୟଙ୍କ ନେତୃତ୍ବରେ ବିଭିନ୍ନ ଗାଁରେ ଟି-୩ ଶିବିର ସଫଳତାର ସହ ଆୟୋଜନ କରି ପୁଣି ଥରେ ସାବାସୀ ପାଇବାର ହକ୍‌ଦାର ହୋଇଛି।

Comments are closed.