ଜିତୁ ଜିତୁ ହାରିଗଲା ଲକ୍ଷ୍ନୌ

ଲକ୍ଷ୍ନୌ: ଆଇପିଏଲରେ ଶନିବାର ଏଠାରେ ଅନୁଷ୍ଠିତ ଏକ ଲୋ ସ୍କୋରିଂ ମ୍ୟାଚରେ କେଏଲ୍ ରାହୁଲଙ୍କ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୭ ରନରେ ହରାଇଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ । ଲକ୍ଷ୍ନୌ ୧୩୬ ରନର ଏକ ସାଧାରଣ ଟାଗେର୍ଟର ଜବାବରେ ଏକଦା ସହଜ ବିଜୟ ଆଡ଼କୁ ଅଗ୍ରସର ହେଉଥିଲା । ହେଲେ ଅଧିନାୟକ କେଏଲ୍ ରାହୁଲଙ୍କ ରକ୍ଷଣାତ୍ମକ ଆଭିମୁଖ୍ୟ ଦଳକୁ ମହଙ୍ଗା ପଡ଼ିଥିଲା । ପରିଣାମ ସ୍ୱରୂପ ଲକ୍ଷ୍ନୌ ବିଜୟ ମୁହଁରୁ ପରାଜୟ ଛଡ଼ାଇ ଆଣିଥିଲା ।

ଗୁଜରାଟ ପ୍ରଦତ୍ତ ୧୩୬ ରନର ବିଜୟଲକ୍ଷ୍ୟକୁ ପିଛାକରି ଲକ୍ଷ୍ନୌ ୧୪ ଓଭର ସୁଦ୍ଧା ଗୋଟିଏ ୱିକେଟ୍ ହରାଇ ବିଜୟ ଆଡ଼କୁ ମୁହାଁଉଥିଲା । ଦଳକୁ ୩୬ଟି ବଲରେ ଆଉ ମାତ୍ର ୩୧ ରନ୍ ଦରକାର ହେଉଥିଲା ଏବଂ ହାତରେ ୯ ୱିକେଟ୍ ଥିଲା । ହେଲେ ଗୁଜରାଟ ବୋଲର ନୂର ଅହମ୍ମଦ କ୍ରମାଗତ ଓଭରରେ ଯଥାକ୍ରମେ କୃଣାଳ ପାଣ୍ଡ୍ୟା (୨୩) ଓ ନିକୋଲା ପୁରନ (୦)ଙ୍କୁ ଆଉଟ୍ କରିବା ପରେ ଲକ୍ଷ୍ନୌ ଉପରେ ଚାପ ବଢିଥିଲା । ଲକ୍ଷ୍ନୌକୁ ଶେଷ ୧୨ଟି ବଲରେ ୧୭ ରନ୍ ଆବଶ୍ୟକ ହେଉଥିବା ବେଳେ ମହମ୍ମଦ ସାମି ୧୯ତମ ଓଭରରେ ଟାଇଟ୍ ବୋଲିଂ କରି ମାତ୍ର ୫ ରନ୍ ଦେଇଥିଲେ । ଫଳରେ ଶେଷ ୬ ବଲରେ ଲକ୍ଷ୍ନୌକୁ ୧୨ ରନ୍ ଆବଶ୍ୟକ ହୋଇଥିଲା ।

ଗୁଜରାଟ ପକ୍ଷରୁ ଶେଷ ଓଭର ବୋଲିଂ କରିଥିଲେ ମୋହିତ ଶର୍ମା । ଚାପପୂର୍ଣ୍ଣ ପରିସ୍ଥିତିରେ ଏହି ମିଡିୟମ ପେସର୍ ଚମତ୍କାର ପ୍ରଦର୍ଶନ ସହ ଶେଷ ଓଭରରେ ଲକ୍ଷ୍ନୌ ଅଧିନାୟକ ରାହୁଲ ଓ ମାର୍କସ ଷ୍ଟୋଇନିସଙ୍କୁ ଆଉଟ୍ କରି ମାତ୍ର ୪ ରନ୍ ଦେଇଥିଲେ । ପୁଣି ଆୟୂଷ ବାଦୋନି (୮) ଓ ଦୀପକ ହୁଡ଼ା (୨) ରନ୍ ଆଉଟ୍ ହୋଇଯାଇଥିଲେ । ୧୩୬ ରନର ବିଜୟଲକ୍ଷ୍ୟ ଜବାବରେ ଲକ୍ଷ୍ନୌ ୭ ୱିକେଟ୍ ହରାଇ ମାତ୍ର ୧୨୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ଗୁଜରାଟ ୭ ରନରେ ରୋମାଞ୍ଚକ ବିଜୟ ହାସଲ କରିଥିଲା ।

ତେବେ ଜିତିବା ସ୍ଥିତିରେ ଥାଇ ଏପରି ପରାଜୟ ପାଇଁ ଲକ୍ଷ୍ନୌ ଅଧିନାୟକ ରାହୁଲଙ୍କ ରକ୍ଷଣାତ୍ମକ ବ୍ୟାଟିଂ ହିଁ ଦାୟୀ । ରାହୁଲ ଦଳ ପକ୍ଷରୁ ୬୧ଟି ବଲରୁ ୮ଟି ଚୌକା ସହ ସର୍ବାଧିକ ୬୮ ରନ୍ କରିଥିଲେ । ସେ ୩୩ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ । ହେଲେ ପରବତ୍ତୀ ୧୮ ରନ୍ କରିବା ପାଇଁ ୨୮ଟି ବଲ୍ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଇଲ ମାୟର୍ସ ୨୪ ଓ କୃଣାଳ ପାଣ୍ଡ୍ୟା ୨୩ ରନ୍ କରିଥିଲେ ।

ଗୁଜରାଟ ତରଫରୁୁ ମୋହିତ ଶର୍ମା ଓ ନୂର ଅହମ୍ମଦ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ଶେଷ ଓଭରରେ ମାପଚୁପ ବୋଲିଂ ସହ ଦଳର ବିଜୟ ନିଶ୍ଚିତ କରିଥିବା ମୋହିତ ଶର୍ମା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ସାତଟି ମ୍ୟାଚରୁ ଲକ୍ଷ୍ନୌର ଏହା ତୃତୀୟ ପରାଜୟ । ଦଳ ପୂର୍ବ ଭଳି ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷେ ଗୁଜରାଟ ୬ଟି ମ୍ୟାଚରୁ ଚତୁର୍ଥ ବିଜୟ ହାସଲ କରି ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି ।
ପୂର୍ବରୁ ଟସ୍ ଜିତି ଗୁଜରାଟ ଟାଇଟନ୍ସ ବ୍ୟାଟିଂ କରିଥିଲା । ଦଳର ଆରମ୍ଭ ଭଲ ହୋଇନଥିଲା । ଇନ୍ ଫର୍ମ ଓପନିଂ ବ୍ୟାଟର ଶୁଭମାନ ଗିଲ୍ ଖାତା ଖୋଲିନପାରି ଦ୍ୱିତୀୟ ଓଭରରେ ଆଉଟ୍ ହୋଇଥିଲେ । ତାଙ୍କୁ କୃଣାଳ ପାଣ୍ଡ୍ୟା ନିଜ ଶିକାର ବନାଇଥିଲେ । ଏହି ପ୍ରାରମ୍ଭିକ ଝଟକା ପରେ କ୍ୟାପଟେନ ହାର୍ଦ୍ଦିକ ଓ ରିଦ୍ଧିମାନ ଶାହା ମିଶି ପାଳି ସମ୍ଭାଳି ସ୍କୋରକୁ ଆଗେଇ ନେଇଥିଲେ । ଉଭୟଙ୍କ ମଧ୍ୟରେ ୭୧ ରନର ଭାଗିଦାରୀ ହୋଇଥିଲା ।
ଶାହା ୩୭ଟି ବଲରେ ୬ଟି ଚୌକା ସହ ୪୭ ରନ୍ କରିବା ପରେ କୃଣାଳଙ୍କ ବଲରେ ଆଉଟ୍ ହୋଇଥିଲେ । ଏହାପରେ ଗୁଜରାଟର ମିଡିଲ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଅଭିନବ ମନୋହର ମାତ୍ର ୩ ରନ୍ କରି ଅମିତ ମିଶ୍ରାଙ୍କ ଶିକାର ହୋଇଥିଲେ । ବିଜୟ ଶଙ୍କର (୧୦)ଙ୍କ ବ୍ୟାଟ୍ ବି ଚାଲିନଥିଲା । ଶେଷ ୧୦ ଓଭରରେ ଗୁଜରାଟର ରନ୍ ଗତି ଉପରେ ଅଙ୍କୁଶ ଲଗାଇବାରେ ସଫଳ ହୋଇଥିଲେ ଲକ୍ଷ୍ନୌ ବୋଲର । ତେବେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଦାୟିତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୫୦ଟି ବଲରେ ୨ଟି ଚୌକା ଓ ୪ଟି ଛକା ସହାୟତାରେ ୬୬ ରନ୍ କରି ଶେଷ ଓଭରରେ ଆଉଟ୍ ହୋଇଥିଲେ । ଡେଭିଡ୍ ମିଲର ୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୩୫ ରନ୍ କରିପାରିଥିଲା । ଲକ୍ଷ୍ନୌ ପକ୍ଷରୁ କୃଣାଳ ଓ ଷ୍ଟୋଇନିସ୍ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ନବୀନ ଉଲ୍ ହକ୍ ଓ ଅମିତ ମିଶ୍ରା ୧-୧ ୱିକେଟ୍ ହାତେଇଥିଲେ ।

Comments are closed.