ରାହୁଲ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ବାଦ୍

ନୂଆଦିଲ୍ଲୀ: ଆହତ କାରଣରୁ କେଏଲ୍ ରାହୁଲ ଜୁନ୍ ୭ରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି) ଫାଇନାଲରୁ ବାଦ୍ ପଡିଛନ୍ତି। ସେ ନିଜେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଜଙ୍ଘ ଆଘାତ ପାଇଁ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡ଼ିବ | ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଶୁକ୍ରବାର ସେ ଏହି ସୂଚନା ଦେଇଛନ୍ତି। ରାହୁଲ ପୂର୍ବରୁ ଆଇପିଏଲରୁ ବାଦ୍ ପଡ଼ିଥିଲେ ।

ରାହୁଲ ହେଉଛନ୍ତି ଆଇପିଏଲ୍ ଟିମ୍ ଲକ୍ଷ୍ନୌ ସୁପର ଜାଏଣ୍ଟସର ଅଧିନାୟକ । ଗତ ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚରେ ଫିଲ୍ଡିଂ ବେଳେ ରାହୁଲ ଆହତ ହୋଇଥିଲେ। ରାହୁଲଙ୍କ ଡାହାଣ ଜଂଘରେ ଆଘାତ ଲାଗିଥିଲା । ଆରସିବି ଇନିଂସର ଦ୍ୱିତୀୟ ଓଭରର ଶେଷ ବଲରେ ରାହୁଲଙ୍କୁ ଆଘାତ ଲାଗିଥିଲା । ମାର୍କସ୍ ଷ୍ଟୋଇନିସଙ୍କ ବଲରେ ଫାଫ୍ ଡୁ ପ୍ଲେସିସ୍ ଏକ୍ସଟ୍ରା କଭରରେ ଖେଳିଥିବା ସଟକୁ ରାହୁଲ ରୋକିବାକୁ ଉଦ୍ୟମ କରିଥିବା ବେଳେ ଆହତ ହୋଇଥିଲେ।

ଏହି ମ୍ୟାଚର ଦିନକ ପୂର୍ବରୁ ତାଙ୍କ ସାଥୀ ଖେଳାଳି ତଥା ଦ୍ରୁତ ବୋଲର ଜୟଦେବ ଉନାଦକଟ୍ ନେଟ୍ସରେ ବୋଲିଂ ଅଭ୍ୟାସ ସମୟରେ ଆହତ ହୋଇଥିଲେ । ତାଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା। ସେ ମଧ୍ୟ ଆଇପିଏଲରୁ ବାଦ୍ ପଡିଛନ୍ତି । ଉନାଦକଟ୍ ମଧ୍ୟ ଡବ୍ଲୁଟିସି ଫାଇନାଲ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି । ହେଲେ ସେ ଏହି ମ୍ୟାଚ୍ ବେଳକୁ ଫିଟ୍ ହେବା ସମ୍ଭାବନା କମ୍ ।

Comments are closed.