ରଜୌରି ଏନକାଉଣ୍ଟର: ସହିଦ୍ ଯବାନଙ୍କ ସଂଖ୍ୟା ୫କୁ ବୃଦ୍ଧି, ଇଣ୍ଟରନେଟ୍ ବନ୍ଦ

ଶ୍ରୀନଗର: ଜମ୍ମୁ କାଶ୍ମୀରର ରଜୌରିରେ ଚାଲିଥିବା ଆତଙ୍କବାଦୀ ବିରୋଧୀ ଅପରେସନରେ ଭାରତୀୟ ସେନାର ଆଉ ତିନି ଯବାନଙ୍କ ମୃତ୍ୟୁ ହୋଇଛି । ଏଥିସହ ଏହି ଅପରେସନରେ ସହିଦ ହୋଇଥିବା ସୈନିକଙ୍କ ସଂଖ୍ୟା ପାଞ୍ଚକୁ ବୃଦ୍ଧି ପାଇଛି। ପ୍ରଥମେ ଦୁଇ ଯବାନ ସହିଦ ହୋଇଥିଲେ ଓ ଅନ୍ୟ ଚାରି ସୈନିକ ଆହତ ହୋଇଥିଲେ ବୋଲି କୁହାଯାଇଥିଲା । ଏବେ ଆହତ‌ ଯବାନଙ୍କ ମଧ୍ୟରୁ ତିନିଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ଆହତ ଯବାନଙ୍କୁ ଏୟାରଲିଫ୍ଟ କରାଯାଇଥିଲା।

ରଜୌରିରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏହି ଏନକାଉଣ୍ଟରରେ କିଛି ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ମନେ କରାଯାଉଛି । ଏନକାଉଣ୍ଟର ପରଠାରୁ ଏହି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି।

ରଜୌରି ଜିଲ୍ଲାର କାଣ୍ଡି ଟୋଲର କେସରୀ ଅଞ୍ଚଳରେ ଏହି ଏନକାଉଣ୍ଟର ଶୁକ୍ରବାର ସକାଳ ପ୍ରାୟ ୭:୩୦ରୁ ଜାରି ରହିଛି। କିଛି ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବାର ସୂଚନା ମିଳିବା ପରେ ପୋଲିସ, ସେନା ଏବଂ ସିଆରପିଏଫ୍ ର ମିଳିତ ଅପରେସନ୍ ଆରମ୍ଭ ହୋଇଥିଲା । ଏହି ଆତଙ୍କବାଦୀ ନିକଟରେ ପୁଞ୍ଚରେ ଭାରତୀୟ ସେନାର ଗାଡ଼ି ଉପରେ ଆକ୍ରମଣରେ ସମ୍ପୃକ୍ତ ଥିଲେ ।

ସୁରକ୍ଷା ବାହିନୀ ଆଗକୁ ବଢ଼ିବା ବେଳେ ଏକ ଗୁମ୍ଫା ଭିତରେ ଲୁଚିଥିବା ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ସେମାନେ ବିସ୍ଫୋରଣ କରିବାରୁ ସେନାର ଦୁଇ ଯବାନ ଘଟଣାସ୍ଥଳରେ ସହିଦ୍ ହୋଇଥିଲେ । ଅନ୍ୟ ଚାରି ଆହତ ଯବାନଙ୍କୁ ଏୟାରଲିଫ୍ଟ କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆହତଙ୍କ ମଧ୍ୟରୁ ଆଉ ତିନି ଯବାନଙ୍କ ମୃତ୍ୟୁ ହୋଇଛି ।

Comments are closed.