ସିମ୍ ଚାଲାଣକାରୀ ଗ୍ୟାଙ୍ଗର ୮ ସଦସ୍ୟ ଗିରଫ

କଟକ – ଆଉ ଏକ ବେଆଇନ ସିମ୍ ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ।  କଟକ ସାଇବର ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ସିମ ଚାଲାଣକାରି ଗ୍ୟାଙ୍ଗ୍‌ର ୮ ଜଣ ସଦସ୍ୟ। ଏହି ଗ୍ୟାଙ୍ଗର ସଦସ୍ୟମାନେ ପୁରୀରୁ ବିଭିନ୍ନ ରାଜ୍ୟକୁ ମୋବାଇଲ ସିମ ଯୋଗାଉଥିଲେ। ସେମାନେ ଯୋଗାଉଥିବା ସିମ୍‌ଗୁଡ଼ିକ ମଧ୍ୟରୁ କିଛି ଆକ୍ଟିଭ୍‌ ରହୁଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ ବାବୁନା ଦାସ, ରାକେଶ କୁମାର ନାୟକ, ବିଶ୍ୱଜିତ ଷଡ଼ଙ୍ଗୀ, ବିଶ୍ୱଜିତ ପ୍ରଧାନ, ମହାବୀର ଦାସ, ଜ୍ୟୋତିରଞ୍ଜନ ସାହୁ, ଜ୍ଞାନରଂଜନ ପାତ୍ର ଓ ସୌମ୍ୟରଞ୍ଜନ ଖଣ୍ଡାୟତ। ଏମାନେ ଟେଲିକମ କମ୍ପାନିର କର୍ମଚାରୀ ଭାବେ କାମ କରୁଥିଲେ। ଅଧିକ ଟଙ୍କା ରୋଜଗାର କରିବାର ନିଶାରେ ଏମାନେ ଏହି କାରବାର କରୁଥଲେ ବୋଲି ପୋଲିସ କହିଛି।

କଟକ ଡିସିପି ପିନାକ ମିଶ୍ର କହିଛନ୍ତି ଗତ ୫ମାସ ଧରି ଅଭିଯୁକ୍ତମାନେ ଦିଲ୍ଲୀ, ଆସାମ, ଉତ୍ତର ପ୍ରଦେଶ ରାଜ୍ୟକୁ ସିମ ଯୋଗାଉଥିଲେ। ପାଖାପାଖି ୫ହଜାର ସିମ ଏମାନେ ଆକ୍ଟିଭ କରି ଏଜେଣ୍ଟମାନଙ୍କୁ ବିକ୍ରି କରିଛନ୍ତି । ଜଣେକା ୩ ଲକ୍ଷରୁ ଊର୍ଦ୍ଧ୍ବ  ଟଙ୍କା ରୋଜଗାର କରିଛନ୍ତି। ସାଇବର କ୍ରାଇମରେ ବ୍ୟବହାର ହୋଇଥିବା ୨ଟି ସିମ ଓଡ଼ିଶାରୁ ଆକ୍ଟିଭ ହୋଇଥିବା ଜଣାପଡିବା ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଆଜି ଏମାନଙ୍କୁ ଗିରଫ କରାଯିବା ସହିତ ୮୦୦ସିମ ଓ ୧୬ ମୋବାଇଲ ଫୋନ ଜବତ ହୋଇଛି ।

Comments are closed.