୫-ଟି ସଚିବଙ୍କ କେନ୍ଦୁଝର ଗସ୍ତ : ଭୀମକୁଣ୍ଡ ହେବ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ, ମାସେ ମଧ୍ୟରେ ଚମ୍ପୁଆରେ ଡ୍ରିଙ୍କ ଫ୍ରମ ଟ୍ୟାପ୍

ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି. କେ:ପାଣ୍ଡିଆନ ଆଜି ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ପାଟଣା, ଚମ୍ପୁଆ, ଯୋଡ଼ା ବ୍ଲକ ଓ କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ସହ ବହୁସଂଖ୍ୟକ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଖଣି ସମୃଦ୍ଧ ବଡବିଲର ପ୍ରଦୂଷଣ ଓ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଖୁବ୍ ଶୀଘ୍ର ୧୪୦୦ କୋଟି ଟଙ୍କାର ବଡବିଲ ରିଂ ରୋଡ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ବିଷୟରେ ପାଣ୍ଡିଆନ ସୂଚନା ଦେଇଥିଲେ ।

୫-ଟି ସଚିବ ପ୍ରଥମେ ପାଟଣା ବ୍ଲକର ଭୀମକଣ୍ଡ ଯାଇ ସେଠାରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ଭୀମକଣ୍ଡକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବରେ ବିକଶିତ କରାଯିବା ନେଇ ସୂଚନା ଦେଇଥିଲେ । ଏ ସମ୍ପର୍କିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଯଥାଶୀଘ୍ର ପ୍ରସ୍ତୁତ କରିବାକୁ ସେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରି ସମସ୍ୟା ପଚାରି ବୁଝିଥିଲେ। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ମନ୍ଦିର ଏବଂ ମସଜିଦର ପାରିପାର୍ଶ୍ୱିକ ବିକାଶ ନେଇ ଯେଉଁସବୁ ଅନୁରୋଧ ଆସିଛି, ସେ ସବୁକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବେ ବୋଲି ୫-ଟି ସଚିବ କହିଥିଲେ ।

ଏହାପରେ ୫-ଟି ସଚିବ ଚମ୍ପୁଆ ଯାଇଥିଲେ । ସେ ଚମ୍ପୁଆ ଏନଏସି ସ୍ଥିତ ଜଳ ବିଶୋଧନାଗାର(ଡବ୍ଲୁଟିପି) ପରିଦର୍ଶନ କରିଥିଲେ। ସେଠାରେ ତାଙ୍କୁ ଜାରି ରହିଥିବା ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ପ୍ରକଳ୍ପ ବାବଦରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ଏହି ପ୍ରକଳ୍ପଟି ସଫଳତାର ସହ କାର୍ଯ୍ୟକାରୀ ହେଉଥିବା ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ। ଏହା ବ୍ୟତୀତ ‘ଗ୍ରାମୀଣ ମେଗା ପାଇପ୍ ଜଳ ଯୋଗାଣ’ ପ୍ରକଳ୍ପ ଚଳିତ ବର୍ଷ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ ହେଉଥିବା ବିଷୟ ରେ ତାଙ୍କୁ ଅଧିକାରୀମାନେ ଅବଗତ କରିଥିଲେ ।

ଏହି ଅବସରରେ ୫-ଟି ସଚିବ ‘ଜଳ ସାଥୀ’ମାନଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କ ହିତ ପାଇଁ ସେମାନଙ୍କ କାର୍ଯ୍ୟ ବେଶ୍ ଗୁରୁତ୍ୱ ବହନ କରୁଛି ବୋଲି କହିଥିଲେ। ଏହାପରେ ସେ ନେହେରୁ ଷ୍ଟାଡିୟମରେ ଏକ ସ୍ଥାନୀୟ ସମାବେଶକୁ ସମ୍ବୋଧିତ କରିଥିଲେ । ସେଠାରେ ଫ୍ଲଡ୍ ଲାଇଟର ବ୍ୟବସ୍ଥା ଆଗାମୀ ୭ ଦିନ ମଧ୍ୟରେ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ପାନୀୟ ଜଳ ଏବଂ କୃଷକମାନଙ୍କର ସମସ୍ୟାକୁ ତୁରନ୍ତ ସମାଧାନ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଏନେଇ ୭ ଦିନ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେଠାରୁ ୫-ଟି ସଚିବ ବଡ଼ବିଲ ଗସ୍ତକରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ସେ ଏନଆରସି(ପୁଷ୍ଟିକର ପୁନର୍ବାସ କେନ୍ଦ୍ର) ଏବଂ ଡାଇଲିସିସ୍ ସେଣ୍ଟରରେ ଚାଲିଥିବା କାର୍ଯ୍ୟଗୁଡ଼ିକର ତଦାରଖ କରିଥିଲେ। ଏହି ସୁବିଧା ଓଡିଶା ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ରୋଗୀମାନଙ୍କର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେଉଥିବା ଜାଣି ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ଏନଆରସି ଓ ଡାଇଲିସିସ୍ ସେଣ୍ଟରରେ ଉପଲବ୍ଧ ହେଉଥିବା ସୁବିଧା ବିଷୟରେ ରୋଗୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ମତାମତ ଶୁଣିଥିଲେ। ଏସବୁ ସୁବିଧାଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ ଆହୁରି ବଢ଼ାଇବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯାହାଦ୍ୱାରା ସାଧାରଣ ଜନତା ଏହାର ଅଧିକ ଲାଭ ପାଇପାରିବେ।

ଏହାପରେ ୫-ଟି ସଚିବ ଯୋଡ଼ା ବ୍ଲକର ସେରେଣ୍ଡା ପରିଦର୍ଶନ କରି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଏବଂ ଆଦିବାସୀ ବିକାଶ ସମିତିର ଛାତ୍ରଛାତ୍ରୀମାନଙ୍କୁ ଭେଟିଥିଲେ। ଆଦିବାସୀ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସମିତିର ପ୍ରଶଂସନୀୟ ପ୍ରୟାସ ଦେଖି ସେ ଖୁସି ବ୍ୟକ୍ତ କରିଛନ୍ତି। ଶିକ୍ଷା ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇ ସେ ଘୋଷଣା କରିଛନ୍ତି ଯେ ଏଣିକି ଆଦିବାସୀ ବିକାଶ ସମିତିର ୯୦୦ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ। ଏନେଇ ଆବଶ୍ୟକୀୟ କାର୍ଯ୍ୟ ପାଇଁ ବିସ୍ତୃତ ମୂଲ୍ୟାଙ୍କନ କରିବାକୁ ୫-ଟି ସଚିବ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ, ସେ ଯୋଡ଼ା ଫ୍ଲାଇଓଭର ସ୍ଥଳୀରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। କାର୍ଯ୍ୟ ନିର୍ଦ୍ଧାରିତ ସମୟକୁ ଆଖିରେ ରଖି ଅଗ୍ରଗତି କରୁଛି ଏବଂ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବବୋଲି ଉପସ୍ଥିତ ଓବିସିସି ଅଧିକାରୀମାନେ ୫-ଟି ସଚିବଙ୍କୁ ଅବଗତ କରିଥିଲେ।

ସେଠାରୁ ୫-ଟି ସଚିବ ଯୋଡ଼ାଠାରେ ଥିବା ଜରାଶ୍ରମକୁ ପରିଦର୍ଶନରେ ଯାଇଥିଲେ। ଯେଉଁଠାରେ ବର୍ତ୍ତମାନ ଉଭୟ ପୁରୁଷ ଓ ମହିଳାଙ୍କୁ ମିଶାଇ ମୋଟ ୫୯ ଜଣ ଅନ୍ତେବାସୀ ରହୁଛନ୍ତି। ସମସ୍ତଙ୍କ ଠାରୁ ୫-ଟି ସଚିବ ସେମାନଙ୍କର ଅଭିଜ୍ଞତା ଏବଂ ମିଳୁଥିବା ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ସେ ଅନ୍ତେବାସୀଙ୍କ ମଧ୍ୟାହ୍ନ ଭୋଜନରେ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ନାଗରିକଙ୍କୁ ଯତ୍ନର ଅଧିକ ଆବଶ୍ୟକତା ପଡ଼ୁଥିବାରୁ ସୁବିଧାର ସମ୍ପ୍ରସାରଣ ଏବଂ ଅଧିକ ଅନ୍ତେବାସୀଙ୍କ ରହଣୀ ଲାଗି ବ୍ୟବସ୍ଥା କରିବା ସମ୍ବଦ୍ଧରେ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ୫-ଟି ସଚିବ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ସେ କାନପୁର ଜଳସେଚନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ସେଠାରେ ପ୍ରକଳ୍ପର ଅଗ୍ରଗତିର ଆକଳନ ସାଙ୍ଗକୁ ଜାତୀୟ ରାଜପଥ ସହ ଜଡ଼ିତ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟସୀମା ପାଳନ ପୂର୍ବକ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟ ସାରିବା ଉପରେ ଗୁରୁତ୍ୱ ଦେବାପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ସେ ନିକଟସ୍ଥ ଗ୍ରାମର ଗ୍ରାମବାସୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ସେଠାରୁ କେନ୍ଦୁଝର ସହର ସ୍ଥିତ ଓଏସଏମଇ କମ୍ପ୍ଲେକ୍ସକୁ ଯାଇ ସେଠାରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିବା ମିଶନ ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସମ୍ବୋଧିତ କରିଥିଲେ ୫-ଟି ସଚିବ।

ସରକାରଙ୍କଠାରୁ ମିଳୁଥିବା ସହାୟତା ଉପରେ ସେ ସକ୍ରିୟ ଭାବେ ସେମାନଙ୍କଠାରୁ ମତାମତ ଲୋଡ଼ିଥିଲେ ଏବଂ ମିଶନ ଶକ୍ତି ପାଇଁ ପର୍ଯ୍ୟାପ୍ତ ଅର୍ଥ ଉପଲବ୍ଧ ରହିଛି ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଥିଲେ। ଏହାପରେ ସେ ଧରଣୀଧର ବିଶ୍ୱବିଦ୍ୟାଳୟ ନିକଟରେ ସ୍ଥାନୀୟ ବାସିନ୍ଦା, ବିଭିନ୍ନ ସଙ୍ଗଠନର ସଦସ୍ୟଙ୍କୁ ଭେଟି ସେମାନଙ୍କ ଅଭିଯୋଗକୁ ଶୁଣିଥିଲେ। ସରକାରୀ ବ୍ୟବସ୍ଥା ମୁତାବକ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଯଥୋଚିତ ପଦକ୍ଷେପ ଗ୍ରହଣ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ୫-ଟି ସଚିବ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ‘ମିଶନ୍ ଶକ୍ତି’ କାଫେ ପରିଦର୍ଶନ କରିଥିଲେ। ସେ ଠାରେ ସେ କାଫେର ପରିଚାଳନା ସଦସ୍ୟମାନେ କିଭଳି ଆର୍ଥିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ ହୋଇପାରିଛନ୍ତି ସେନେଇ ପଚାରି ବୁଝିଥିଲେ. ଉନ୍ନତମାନର ଖାଦ୍ୟ ବିତରଣ ଉଦ୍ୟମ ଜାରି ରଖିବାକୁ ସେ ସେମାନଙ୍କୁ ଉତ୍ସାହିତ କରିଥିଲେ। ସେଠାରୁ ସେ କେନ୍ଦୁଝର ଅଡିଟୋରିୟମ ଯାଇ ସେଠାରେ ପ୍ରାୟ ଏକ ହଜାର ସଂଖ୍ୟାରେ ଉପସ୍ଥିତ ଥିବା ଛାତ୍ର ଓ ଶିକ୍ଷକଙ୍କୁ ସମ୍ବୋଧିତ କରିଥିଲେ। ଶିକ୍ଷାର ମାନ ବୃଦ୍ଧି ଏବଂ ଆନୁସଙ୍ଗିକ ସୁବିଧା ସୁଯୋଗ ଉପଲବ୍ଧ କରାଇବା ଉପରେ ସେ ଆଲୋଚନା କରି କହିଥିଲେ ସମସ୍ତ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସ୍ନାତକ କଲେଜଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ହୋଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ବିକାଶ ହେବ ବୋଲି ସେ କହିଛନ୍ତି। ଏଥିରେ ସେ ସମସ୍ତଙ୍କ ର ସହଯୋଗ ପାଇଁ ୫-ଟିସଚିବ ଅନୁରୋଧ କରିଛନ୍ତି।

ସେଠାରୁ ୫-ଟି ସଚିବ ସ୍ଥାନୀୟ ହ୍ୟାଣ୍ଡବଲ୍ ଷ୍ଟାଡିୟମ ପରିଦର୍ଶନରେ ଯାଇ ସେଠାରେ ତାଲିମ ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ଏବଂ ଉତ୍ସର୍ଗୀକୃତ ମନୋଭାବ ଦେଖି ସେ ଖୁସିବ୍ୟକ୍ତ କରିଥିଲେ। ସେ ମୋଟ ପ୍ରଶିକ୍ଷାର୍ଥୀଙ୍କ ସଂଖ୍ୟା ଏବଂ ବିଭିନ୍ନ ପ୍ରତିଯୋଗିତାରେ ସେମାନଙ୍କର ଅଂଶଗ୍ରହଣ ବିଷୟରେ ପଚାରି ବୁଝିଥିଲେ। ଏହାସହ ଷ୍ଟାଡିୟମରେ ଉପସ୍ଥିତ ହ୍ୟାଣ୍ଡବଲ୍ ଖେଳାଳିଙ୍କ ସହ ସେ ମଧ୍ୟ କଥାବାର୍ତ୍ତା କରିଥିଲେ।

ପରେ ୫-ଟି ସଚିବ ବଳଦେବଜୀଉ ମନ୍ଦିର ପରିଦର୍ଶନରେ ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ସେ ମନ୍ଦିର ଏବଂ ପରିସରର ନବୀକରଣ ସମ୍ପର୍କରେ ମନ୍ଦିର କମିଟି ସଦସ୍ୟ ଏବଂ ପୁରୋହିତମାନଙ୍କ ସହ ଆଲୋଚନା କରିଥିଲେ। ଏହା ବ୍ୟତୀତ ସେ ବଡ଼ଦାଣ୍ଡରେ ଚାଲିଥିବା ବିକାଶ କାର୍ଯ୍ୟ ଏବଂ ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଥିଲେ।

ସେଠାରୁ ୫-ଟି ସଚିବ ହାଡ଼ବନ୍ଧ ଜଳାଶୟ ପରିଦର୍ଶନରେ ଯାଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।

ଏହି କାର୍ଯ୍ୟକ୍ରମରେ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଓ କେନ୍ଦୁଝର ଜିଲ୍ଲାପାଳ ଉପସ୍ଥିତ ଥିଲେ ।

Comments are closed.