ଏକବିଂଶ ଶତାବ୍ଦୀର ସବୁଠୁ ବଡ଼ ଟେଷ୍ଟ ବିଜୟ, ବାଂଲାଦେଶ ରଚିଲା ଇତିହାସ

ଢାକା: ଲିଟନ୍ ଦାସଙ୍କ ଅଧିନାୟକତ୍ୱରେ ବାଂଲାଦେଶ କ୍ରିକେଟ୍ ଦଳ ଏକମାତ୍ର ଟେଷ୍ଟରେ ଆଫଗାନିସ୍ତାନକୁ ୫୪୬ ରନରେ ହରାଇ ଇତିହାସ ରଚିଛି । ଏହି ମ୍ୟାଚ୍ ଜିତିବା ପାଇଁ ଆଫଗାନିସ୍ତାନ ଆଗରେ ୬୬୨ ରନର ଏକ ବଡ଼ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏହି ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୧୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା | ଏହି ମ୍ୟାଚର ପ୍ରଥମ ଏବଂ ଦ୍ୱିତୀୟ ଇନିଂସରେ ଶତକ ହାସଲ କରିଥିବା ନଜମୁଲ ହୁସେନ୍ ଶାନ୍ତୋଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ଟେଷ୍ଟ ମ୍ୟାଚରେ ଆଫଗାନିସ୍ତାନକୁ ୫୪୬ ରନରେ ପରାସ୍ତ କରି ବାଂଲାଦେଶ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ବିଜୟ ରେକର୍ଡ କରିଛି। ଏକବିଂଶ ଶତାବ୍ଦୀରେ ରନ୍ ଦୃଷ୍ଟିରୁ ଟେଷ୍ଟ କ୍ରିକେଟରେ ଏପର୍ଯ୍ୟନ୍ତ ଏହା ସବୁଠାରୁ ବଡ଼ ବିଜୟ ଥିଲା |

ଏହା ମଧ୍ୟ ରନ୍ ବ୍ୟବଧାନ ଦୃଷ୍ଟିରୁ ଟେଷ୍ଟ କ୍ରିକେଟ୍ ଇତିହାସରେ ତୃତୀୟ ବୃହତ୍ତମ ବିଜୟ । ରନ୍ ଦୃଷ୍ଟିରୁ ସବୁଠୁ ବଡ଼ ଟେଷ୍ଟ ବିଜୟ ଇଂଲଣ୍ଡ ନାଁରେ ରହିଛି । ୧୯୨୮ ମସିହାରେ ଇଂଲଣ୍ଡ ୬୭୫ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଏହାଛଡ଼ା ୧୯୩୪ ମସିହାରେ ଅଷ୍ଟ୍ରେଲିଆ ୫୬୨ ରନରେ ଇଂଲଣ୍ଡକୁ ହରାଇ ଟେଷ୍ଟ କ୍ରିକେଟ୍ ଇତିହାସରେ ଦ୍ୱିତୀୟ ବୃହତ୍ତମ ବିଜୟ ହାସଲ କରିଥିଲା ।

ଏହି ମ୍ୟାଚ୍‌ରେ ବାଂଲାଦେଶ ଶାନ୍ତୋଙ୍କ ଶତକୀୟ ପାଳି ବଳରେ ପ୍ରଥମ ଇନିଂସରେ ୩୮୨ ରନ୍ କରିଥିଲା । ଏହାର ଜବାବରେ ଆଫଗାନିସ୍ତାନ ୧୪୬ ରନରେ ସୀମିତ ରହିଯାଇଥିଲା । ପ୍ରଥମ ଇନିଂସରେ ବାଂଲାଦେଶ ପାଇଁ ଇବାଦତ ହୋସେନ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ଏହା ପରେ ଶାନ୍ତୋ ଦ୍ୱିତୀୟ ଇନିଂସରେ ପୁଣି ଶତକ ମାରିଥିଲେ । ସେ ଦ୍ବିତୀୟ ଇନିଂସରେ ୧୨୪ ରନ୍ ସଂଗ୍ରହ କରିଥିବାବେଳେ ମୋମିନୁଲ୍ ହକ୍ ୧୨୧ ରନ୍ କରିଥିଲେ । ବାଂଲାଦେଶ ଦ୍ବିତୀୟ ଇନିଂସରେ ୪୨୫ ରନ୍ କରିଥିଲା। ଫଳରେ ଆଫଗାନିସ୍ତାନ ସମ୍ମୁଖରେ ୬୬୨ ରନର ବିଶାଳ ଲକ୍ଷ୍ୟ ହାସଲ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଦଳ ମାତ୍ର ୧୧୫ ରନରେ ଅଲ୍ଆଉଟ୍ ହୋଇ ଶୋଚନୀୟ ପରାଜୟ ବରଣ କରିଥିଲା | ବାଂଲାଦେଶ ପାଇଁ ଦ୍ୱିତୀୟ ଇନିଂସରେ ତସ୍କିନ ଅହମ୍ମଦ ସଫଳ ବୋଲର ଭାବେ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ।

Comments are closed.