କଂଗ୍ରେସର ଆରୋପ: ପ୍ରିଡେଟର ଡ୍ରୋନ୍ କିଣାରେ ହୋଇଛି ଦୁର୍ନୀତି, ଚାରି ଗୁଣ ଅଧିକ ଦାମରେ କିଣିଛନ୍ତି ସରକାର

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରଙ୍କ ବିରୋଧରେ କଂଗ୍ରେସର ପୁଣି ଏକ ବଡ଼ ଅଭିଯୋଗ। ମୋଦୀ ସରକାର ଆମେରିକାରୁ ଅଧିକ ମୂଲ୍ୟରେ ପ୍ରିଡେଟର ଡ୍ରୋନ କିଣିଛନ୍ତି ବୋଲି ଦଳ ଅଭିଯୋଗ କରିଛି । ଅନ୍ୟ ଦେଶମାନେ ଏହି ଡ୍ରୋନଗୁଡ଼ିକୁ ଚାରି ଗୁଣ କମ୍ ଦାମରେ କିଣୁଥିବା ବେଳେ ଭାରତ କାହିଁକି ଅଧିକ ଅର୍ଥ ଖର୍ଚ୍ଚ କରିଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ପୱନ ଖେରା ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରାଫେଲ ଡିଲରେ ଯାହା ଘଟିଥିଲା ତାହାର ପୁନରାବୃତ୍ତି ପ୍ରିଡେଟର ଡ୍ରୋନ କିଣାରେ ହୋଇଛି ।

ସେ କହିଛନ୍ତି ଯେ ଆମେ ଏହି ଡ୍ରୋନ୍ ପାଇଁ ୧୧୦ ମିଲିୟନ ଡଲାର ଅର୍ଥାତ୍ ୮୮୦ କୋଟି ଟଙ୍କା ଖର୍ଚ୍ଚ କରୁଛୁ ଯାହା ଅନ୍ୟ ଦେଶମାନେ ଚାରି ଗୁଣ କମ୍ ମୂଲ୍ୟରେ କିଣୁଛନ୍ତି । ଭାରତ ସରକାର ଆମେରିକା ଠାରୁ ୨୫,୦୦୦ କୋଟି ଟଙ୍କା ମୂଲ୍ୟର ୩୧ଟି ପ୍ରିଡେଟର ଡ୍ରୋନ୍ କିଣୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ବାଇଡେନଙ୍କ ମିଳିତ ବିବୃତ୍ତିର ଷଷ୍ଠ ପଏଣ୍ଟରେ ଏହି ଡ୍ରୋନ୍ ବିଷୟରେ ଉଲ୍ଲେଖ କରାଯାଇଛି।

ଅନ୍ୟ ଦେଶ ଅପେକ୍ଷା ଡ୍ରୋନ୍ ପାଇଁ ଭାରତ କାହିଁକି ଅଧିକ ଅର୍ଥ ଦେଉଛି ବୋଲି ପଓ୍ବନ ଖେରା ମୋଦୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ‌‌। ଡ୍ରୋନ୍ ସଂଖ୍ୟା ସମ୍ପର୍କରେ ସେ ମୋଦୀ ସରକାରଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଦୁଇ ମାସ ପୂର୍ବେ ଅର୍ଥାତ ଏପ୍ରିଲ ୨୦୨୩ରେ ଭାରତୀୟ ସଶସ୍ତ୍ର ବାହିନୀ କେବଳ ୧୮ଟି ପ୍ରିଡେଟର ଡ୍ରୋନର ଆବଶ୍ୟକତା ଅଛି ବୋଲି ମୋଦୀ ସରକାରଙ୍କୁ କହିଥିଲା । ତେବେ ମୋଦୀ ସରକାର ୩୧ ଡ୍ରୋନ୍ କାହିଁକି କିଣୁଛନ୍ତି?

କଂଗ୍ରେସ ମୁଖପାତ୍ର ପୱନ ଖେରା ଆହୁରି ମଧ୍ୟ ଦାବି କରିଛନ୍ତି, ଅନେକ ଦେଶ ଏହି ଏମକ୍ୟୁ-୯ବି ପ୍ରିଡେଟର ଡ୍ରୋନ କିମ୍ବା ଏହାର ସମକକ୍ଷ ଡ୍ରୋନକୁ ଭାରତ ଅପେକ୍ଷା କମ୍ ମୂଲ୍ୟରେ କିଣିଛନ୍ତି। ସେ ନିଜ ଦାବି ସପକ୍ଷରେ କିଛି ଉଦାହରଣ ମଧ୍ୟ ଦେଇଛନ୍ତି ।

ସେ କହିଛନ୍ତି ଯେ ଆମେରିକୀୟ ବାୟୁସେନା ଏମକ୍ୟୁ-୯ ଡ୍ରୋନର ସଦ୍ୟତମ ଭର୍ସନକୁ ଡ୍ରୋନ୍ ପିଛା ୫୬.୫ ମିଲିୟନ୍ ଡଲାରରେ କିଣିଛି। ବ୍ରିଟେନର ବାୟୁସେନା ୨୦୧୬ରେ ଡ୍ରୋନ୍ ପିଛା ୧୨.୫ ମିଲିୟନ୍ ଆମେରିକୀୟ ଡଲାର ମୂଲ୍ୟରେ ଏମକ୍ୟୁ-୯ବି ଡ୍ରୋନ୍ କିଣିଥିବା ବେଳେ ସ୍ପେନ୍ ୪୬.୫ ମିଲିୟନ ଡ଼ଲାର ଏବଂ ଜର୍ମାନୀ ଡ୍ରୋନ୍ ପିଛା ୧୭ ମିଲିୟନ୍ ଡଲାରରେ କିଣିଥିଲା।

Comments are closed.