ନୀତି ଆୟୋଗ ରିପୋର୍ଟ: ୫ ବର୍ଷରେ ଓଡ଼ିଶାରେ କମିଛି ଦାରିଦ୍ର୍ୟ, ମାଲକାନଗିରି ଜିଲ୍ଲାରେ ଦାରିଦ୍ର୍ୟ ହାର ସର୍ବାଧିକ, ପୁରୀରେ ସର୍ବନିମ୍ନ

ଭୁବନେଶ୍ୱର – ନୀତି ଆୟୋଗଙ୍କ ଏକ ରିପୋର୍ଟ ଅନୁସାରେ ଦେଶରେ ଗତ ୫ ବର୍ଷ ମଧ୍ୟର ଦାରିଦ୍ର୍ୟ ହ୍ରାସ ପାଇଛି। ଆୟୋଗ ପକ୍ଷରୁ ଜାରି ‘ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚୀ: ଏକ ଅଗ୍ରଗତି ସମୀକ୍ଷା -୨୦୨୩’ ରିପୋର୍ଟ ଅନୁସାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ସାରା ଦେଶରେ ରେକର୍ଡ ୧୩.୫ କୋଟି ଲୋକ ଦାରିଦ୍ର୍ୟ ରାକ୍ଷସ କବଳରୁ ମୁକ୍ତି ପାଇଛନ୍ତି। ଆଉ ଏହି ସମୟ ମଧ୍ୟରେ ଓଡ଼ିଶାରେ ୬୨ ଲକ୍ଷ ୬୨ ହଜାର ୮୫୨ ଜଣ ଲୋକ ଦାରିଦ୍ର୍ୟମୁକ୍ତ ହୋଇଥିବା ରିପୋର୍ଟରେ କୁହାଯାଇଛି। ଓଡ଼ିଶାରେ ଦାରିଦ୍ର୍ୟ ହାର ଏହି ସମୟରେ ୨୯.୩୪ ପ୍ରତିଶତରୁ ୧୫.୮୬ ପ୍ରତିଶତକୁ ହ୍ରାସ ପାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଗ୍ରାମାଞ୍ଚଳ ଦାରିଦ୍ର୍ୟ ହାର ୩୨.୬୪ ପ୍ରତିଶତରୁ ୧୭.୭୨ ପ୍ରତିଶତକୁ ଓ ସହରାଞ୍ଚଳରେ ୧୨.୩୨ ପ୍ରତିଶତରୁ ୫.୪୨ ପ୍ରତିଶତକୁ ହ୍ରାସ ପାଇଛି। ମାଲକାନାଗିରି ଜିଲ୍ଲାରେ ଦାରିଦ୍ର୍ୟ ହାର ରାଜ୍ୟରେ ସର୍ବାଧିକ ୪୫.୦୧ ପ୍ରତିଶତ ଥିବା ବେଳେ ପୁରୀରେ ସର୍ବନିମ୍ନ ୩.୨୯ ପ୍ରତିଶତ ରହିଛି।

ନୀତି ଆୟୋଗ ରିପୋର୍ଟ ଅନୁସାରେ ରାୟଗଡ଼ା ଜିଲ୍ଲାରେ ଦାରିଦ୍ର୍ୟ ହାର ୩୪.୦୩ ପ୍ରତିଶତ, କୋରାପୁଟରେ ୩୩.୫୪ , ନବରଙ୍ଗପୁରରେ ୩୩.୪୫ ଓ ମୟୂରଭଞ୍ଜରେ ୩୦.୫୭ ପ୍ରତିଶତ ରହିଛି। ୨୦୧୫-୧୬ ତୁଳନାରେ ୨୦୨୯-୨୦ରେ ରାଜ୍ୟର ସବୁ ଜିଲ୍ଲାରେ ଦାରିଦ୍ର୍ୟ ହ୍ରାସ ପାଇଛି। ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ଼, ଝାରସୁଗୁଡ଼ା, ସୋନପୁର, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ସମ୍ବଲପୁରରେ ଦାରିଦ୍ର୍ୟ ହାର ୧୦ ପ୍ରତିଶତରୁ କମ୍ ରହିଛି। ଅନ୍ୟ ଜିଲ୍ଲା ଗୁଡ଼ିକରେ ଏହି ହାର ଦୁଇ ଅଙ୍କରେ ରହିଛି।

Comments are closed.