୨୩ ରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ, ଜଳସ୍ତର ୬୧୨ ନିକଟବର୍ତ୍ତୀ

ସମ୍ବଲପୁର: ଆସନ୍ତା ୨୩ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏନେଇ ଆଜି ବନ୍ଧ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।

ବର୍ତ୍ତମାନ ଜଳସ୍ତର ୬୧୨ ଫୁଟ ନିକଟରେ ପହଞ୍ଚିଥିବା ବେଳେ ୧ ଲକ୍ଷ ୩୨ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ଲଘୁଚାପ ପାଇଁ ଗତ ଦୁଇ ଦିନ ହେଲା ଉପରମୁଣ୍ଡରୁ ଜଳଭଣ୍ଡାରକୁ ଜଳପ୍ରବାହର ମାତ୍ରା ବଢିବାରେ ଲାଗିଥିଲା। ଗତକାଲି ଦେଢ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି ପ୍ରବେଶ କରିବା ପରେ ଜଳସ୍ତର ଦ୍ରୁତ ଗତିରେ ବଢିବାକୁ ଲାଗିଥିଲା। ଫଳରେ ଆଜି ଅପରାହ୍ନ ୩ଟାରେ ଜଳସ୍ତର ୬୧୧. ୭୫ ଫୁଟରେ ପହଞ୍ଚିଥିବା ବେଳେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୨ ହଜାର ୦୭୪ କ୍ୟୁସେକ ଜଳ ପ୍ରବେଶ କରୁଛି। ପରିସ୍ଥିତିକୁ ଦେଖି ଆସନ୍ତା ୨୩ ତାରିଖ ସକାଳ ୯ଟାରେ ହୀରାକୁଦରୁ ଗେଟ୍ ଖୋଲି ପ୍ରଥମ ବନ୍ୟାଜଳ ନିଷ୍କାସନ କରିବାକୁ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଗେଟ୍ ଖୋଲିବା ଦ୍ବାରା ତଳମୁଣ୍ଡରେ ନଦୀର ଜଳସ୍ରୋତ ବଢିବାର ସମ୍ଭାବନା ଥିବାରୁ ନଦୀ ତଳକୁ ନ ଯିବାକୁ କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରିଛନ୍ତି। ତେବେ ଗେଟ ଖୋଲିବାର ଦୁଇ ଘଣ୍ଟା ପୂର୍ବରୁ ନିୟମିତ ବ୍ୟବଧାନରେ ସାଇରନ୍ ବାଜିବ ବୋଲି ସୂଚନା ଦିଆଯାଇଛି।

Comments are closed.