ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ପୁଣି ହଙ୍ଗାମା, ସୋମବାର ଯାଏଁ ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗରେ ଆଜି ମଧ୍ୟ ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀ ଆଜି ପୁଣି ଲୋକସଭା ଏବଂ ରାଜ୍ୟସଭାରେ ହଙ୍ଗାମା କରିଛନ୍ତି। ଏହି କାରଣରୁ ଉଭୟ ଗୃହ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକାର୍ଯ୍ୟ ପ୍ରଥମେ ମଧ୍ୟାହ୍ନ ୧୨ଟା ଏବଂ ରାଜ୍ୟସଭା ଅପରାହ୍ନ ୨:୩୦ ପର୍ଯ୍ୟନ୍ତ ମୁଲତବୀ ରହିଥିଲା ।

ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗତକାଲି ମୌସୁମୀ ଅଧିବେଶନର ପ୍ରଥମ ଦିନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ନାରାବାଜି କରିଥିଲେ। ହୋହଲ୍ଲା ଯୋଗୁଁ ଲୋକସଭା ଓ ରାଜ୍ୟସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ମଣିପୁର ହିଂସାକୁ ନେଇ ସଂସଦରେ ଅଚଳାବସ୍ଥା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କିଛି ଦଳ ଆଲୋଚନା ଚାହୁଁନାହାଁନ୍ତି। ବିରୋଧୀ ଆଲୋଚନାରୁ ଦୂରେଇ ଯାଉଛନ୍ତି, କିନ୍ତୁ ଆମେ ଚାହୁଁ ମଣିପୁର ପ୍ରସଙ୍ଗ ଉପରେ ଆଲୋଚନା ହେଉ।

ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ମଣିପୁର ହିଂସାକୁ ନେଇ ସଂସଦରେ ସ୍ଲୋଗାନ ଦେଲେ ସମସ୍ୟାର ସମାଧାନ ହୋଇଯିବ ନାହିଁ।

ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ମଣିପୁର ଭାଇରାଲ ଭିଡିଓ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ ମଣିପୁରରେ ଯାହା ଘଟିଛି ତାହା ଅତ୍ୟନ୍ତ ଲଜ୍ଜାଜନକ। ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ।

ତେବେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ଗୃହରେ ବିବୃତ୍ତି‌ ରଖନ୍ତୁ ବୋଲି ବିରୋଧୀ ଦାବି କରୁଛନ୍ତି। ଏଥିପାଇଁ ଉଭୟ ଗୃହରେ କାର୍ଯ୍ୟ ସ୍ଥଗିତ ରଖିବାକୁ ନୋଟିସ ଦେଇଥିଲେ । କଂଗ୍ରେସ ସାଂସଦ ମନୀଷ ତିୱାରୀ, ମାଣିକାମ ଟାଗୋର ଏବଂ ଅନ୍ୟ କେତେକ ବିରୋଧୀ ସାଂସଦ ଶୁକ୍ରବାର ଏହି ନୋଟିସ୍ ଦେଇଥିଲେ।

Comments are closed.