ଅଡବା ଓ ମୋହନା ଥାନା ପୋଲିସର ସଫଳତା: ୬ କୋଟି ଟଙ୍କାର ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଅଡବା ଓ ମୋହନା ଥାନା ପୋଲିସ ରବିବାର ପୃଥକ୍ ଚଢ଼ାଉ କରି ୫୫ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ କରିଛି। ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।

ଅଡବା ଥାନା ବାଚିପଙ୍କା ନିକଟ ଜଙ୍ଗଲରେ ବିପୁଳ ମାତ୍ରାରେ ଗଞ୍ଜେଇ ରଖାଯାଇଥିଲା। ଏହି ଖବର ପାଇ ଅଡବା ଥାନାଧିକାରୀ ଶୁଭ୍ରାନ୍ତ ପଣ୍ଡାଙ୍କ ନେତୃତ୍ୱରେ ପୋଲିସ ଟିମ୍ ସେଠାରେ ଚଢ଼ାଉ କରିଥିଲା। ସେଠାରୁ ୩୭ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ କରାଯାଇଥିଲା ଯାହାର ଆନୁମାନିକ ମୂଲ୍ୟ ୪ କୋଟି ଟଙ୍କାରୁ ଅଧିକ ହେବ। ତେବେ ଅପରାଧୀମାନେ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି।

ସେପଟେ ମୋହନା ଥାନା ପୋଲିସ କମଳାପୁର ଛକରେ ଗାଡ଼ି ଯାଞ୍ଚ ବେଳେ ସନ୍ଦେହରେ ଏକ ଟ୍ରକ୍ ଅଟକାଇଥିଲା। ସେଥିରୁ ୧୮ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ କରାଯାଇଥିଲା। ଏହାର ବଜାର ମୂଲ୍ୟ ୨ କୋଟି ଟଙ୍କା ହେବ। ଏହା ଗଜପତି ଜିଲ୍ଲା ଅଡବା ଅଞ୍ଚଳରୁ ମହାରାଷ୍ଟ୍ର ରାଜ୍ୟ ପୁନେକୁ ଚୋରାଚାଲାଣ ହେଉଥିଲା। ଟ୍ରକ୍ ଡାଲାର ଆଗପଟେ ମାଛ ଦାନା ଓ ପଛପଟେ କୁକୁଡ଼ା ଦାନା ରଖି ମଝିରେ ଗଞ୍ଜେଇ ଲୁଚାଇ ରଖାଯାଇଥିଲା। ଚୋରାଚାଲାଣରେ ସମ୍ପୃକ୍ତି ଅଭିଯୋଗରେ ମହାରାଷ୍ଟ୍ର ସାଲେପୁରର ଶୁଭମ ସଞ୍ଜୟ ସମ୍ବାଲେ ଓ ଗୁଞ୍ଜନ ମହାଦେବ ଅଦୁସଲକୁ ଗିରଫ କରାଯାଇଥିବା ମୋହନା ଥାନାଧିକାରୀ ବସନ୍ତ କୁମାର ସେଠୀ କହିଛନ୍ତି।

Comments are closed.