ଆଜି ମଣିପୁର ଯିବ ‘ଇଣ୍ଡିଆ’ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ (ଇ-ଣ୍ଡି-ଆ)’ ସାଂସଦମାନଙ୍କ ଏକ ଟିମ୍ ଶନିବାର ମଣିପୁର ଯିବେ। ହିଂସା ପ୍ରଭାବିତ ଏହି ରାଜ୍ୟର ସ୍ଥିତି ଅନୁଧ୍ୟାନ ସହ ‘ଇଣ୍ଡିଆ’ର ଏହି ପ୍ରତିନିଧି ଟିମ୍ ରାଜ୍ୟପାଳଙ୍କୁ ଭେଟିବେ।

ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ମୋଟ ୨୧ ଜଣ ସାଂସଦ ମଣିପୁର ଗସ୍ତରେ ଯାଉଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସର ୪ ଜଣ, ଜେଡିୟୁରୁ ୨ ଜଣ ସାଂସଦ ଥିବାବେଳେ ଟିଏମସି, ଡିଏମକେ, ଆରଏଲଡି, ଶିବସେନା (ୟୁବିଟି) ଓ ଆପ୍ ରୁ ଜଣେ ଲେଖାଏଁ ସାଂସଦ ରହିଛନ୍ତି । ଏହାଛଡ଼ା ଅନ୍ୟ ବିରୋଧୀ ଦଳର ୧୦ ଜଣ ସାଂସଦ ଏହି ଟିମରେ ଅଛନ୍ତି ।

ଏହି ପ୍ରତିନିଧୀ ଦଳର ନେତୃତ୍ୱ ନେଉଥିବା ସାଂସଦ ଗୌରବ ଗୋଗୋଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମଣିପୁରକୁ ଭୁଲି ଯାଇପାରନ୍ତି କିନ୍ତୁ ଆମେ ଭୁଲି ନାହୁଁ । ଆମେ ପୀଡିତଙ୍କ ପାଖକୁ ଯାଉଛୁ।

ସେ କହିଛନ୍ତି, ‘ହିଂସା ପ୍ରଭାବିତ ସ୍ଥାନକୁ ଯିବା ଆମ ପାଇଁ କଷ୍ଟକର ହେବ। କିନ୍ତୁ ରିଲିଫ କ୍ୟାମ୍ପକୁ ଯାଇ ହିଂସା ପ୍ରଭାବିତ ଲୋକଙ୍କୁ ଭେଟିବୁ। ହିଂସା ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ସରକାର କ’ଣ କରୁଛନ୍ତି ତାହା ଆମେ ଦେଖିବୁ। ସରକାର ଏପର୍ଯ୍ୟନ୍ତ ସେମାନଙ୍କ ପାଇଁ କ’ଣ କରିଛନ୍ତି? ଆମେ ସେଠାକୁ ଯାଉଛୁ । ମଣିପୁରବାସୀ କ’ଣ କହୁଛନ୍ତି ତାହା ଆମେ ଶୁଣିବୁ ଓ ସେମାନଙ୍କ ମତକୁ ସଂସଦରେ ଉପସ୍ଥାପନ କରିବୁ।

ଲୋକସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କହିଛନ୍ତି, ଆମେ ମଣିପୁରର ଦୁଃଖ ଓ ଯନ୍ତ୍ରଣା ଜାଣିବାକୁ ଯାଉଛୁ। ମଣିପୁର ପ୍ରସଙ୍ଗ ଗମ୍ଭୀର ହେବାରେ ଲାଗିଛି। ମଣିପୁରରେ ଜାତିଗତ ଦଙ୍ଗା ଘଟୁଛି। ଅନ୍ୟ ରାଜ୍ୟ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ମଣିପୁରକୁ ନେଇ କେନ୍ଦ୍ର ସରକାର ଗମ୍ଭୀର ନୁହଁନ୍ତି। ମୁଁ ଭାବୁଛି ଆମକୁ ଅନେକ ସ୍ଥାନକୁ ଯିବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ | ମଣିପୁର ଉପରେ ସରକାର ବହୁତ କିଛି ଲୁଚାଉଛନ୍ତି।

ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ସଂସଦର ଚଳିତ ମୌସୁମୀ ଅଧିବେଶନ ଅଚଳ ହୋଇପଡିଛି । ଗୃହକାର୍ଯ୍ୟ ବାରମ୍ବାର ମୁଲତବୀ ହୋଇଛି ।

ମଣିପୁର ହିଂସା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ବିବୃତ୍ତି ରଖନ୍ତୁ ବୋଲି ବିରୋଧୀଦଳ ଦାବି କରୁଛନ୍ତି ।

Comments are closed.