ବ୍ୟାଟ୍ସମ୍ୟାନ୍ ପୁଣି ଫ୍ଲପ୍, ୱେଷ୍ଟଇଣ୍ଡିଜ ଠାରୁ ୬ ଓ୍ବିକେଟରେ ହାରିଲା ଭାରତ

ବ୍ରିଜଟାଉନ୍: ବ୍ୟାଟ୍ସମ୍ୟାନଙ୍କ ପୁଣିଥରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଭାରତ ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ ଠାରୁ ୬ ଓ୍ବିକେଟରେ ହାରିଛି । ଏହି ବିଜୟ ସହିତ ୱେଷ୍ଟଇଣ୍ଡିଜ୍ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର ସ୍ତରକୁ ଆଣିଛି ।

ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଏହି ମ୍ୟାଚରୁ ବିଶ୍ରାମ ଦିଆଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ଵ ନେଇଥିଲେ। ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତୀୟ ଦଳ ପୂରା ୫୦ ଓଭର ବି ଖେଳିପାରିନଥିଲା । ଭାରତ ୪୦.୫ ଓଭରରେ ମାତ୍ର ୧୮୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପାଇଁ ଇଶାନ କିଶନ ସର୍ବାଧିକ ୫୫ ରନ୍ କରିଥିବା ବେଳେ ଶୁଭମାନ ଗିଲ ୩୪ ଏବଂ ସୂର୍ଯ୍ୟକୁମାର ଯାଦବ ୨୪ ରନ କରିଥିଲେ। ଏହି ତିନି ଜଣଙ୍କ ବ୍ୟତୀତ କୌଣସି ଭାରତୀୟ ଖେଳାଳି ୨୦ ରନ୍ ଟପିପାରିନଥିଲେ |

ୱେଷ୍ଟଇଣ୍ଡିଜ୍ ପକ୍ଷରୁ ରୋମାରିଓ ଶେଫର୍ଡ ଏବଂ ଗୁଡାକେଶ ମୋତି ପ୍ରତ୍ୟେକ ତିନିଟି ଲେଖାଏଁ ୱିକେଟ୍ ନେଇଥିଲେ ।

୧୮୨ ରନର ମାମୁଲି ଲକ୍ଷ୍ୟକୁ ଘରୋଇ ଦଳ ଚାରି ୱିକେଟ୍ ହରାଇ ୩୬.୪ ଓଭରରେ ସହଜରେ ହାସଲ କରିନେଇଥିଲା। ଦଳ ତରଫ ଅଧିନାୟକ ଶାଇ ହୋପ ଅପରାଜିତ ୬୩ ରନ୍ କରିଥିବା ବେଳେ କେସି କାର୍ଟି ଅପରାଜିତ ୪୮ ରନ୍ ସହ ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ତିନିଟି ୱିକେଟ୍ ନେଇଥିଲେ।

ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ମଙ୍ଗଳବାର ତ୍ରିନିଦାଦରେ ଖେଳାଯିବ।

Comments are closed.