ହଠାତ୍ ଆଜାଦପୁର ପରିବା ମାର୍କେଟରେ ପହଞ୍ଚିଲେ ରାହୁଲ ଗାନ୍ଧୀ, ଦରଦାମ୍ ସମ୍ପର୍କରେ ପରିବା ବେପାରୀଙ୍କ ସହ କଥା ହେଲେ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଅଚାନକ ଦିଲ୍ଲୀର ଆଜାଦପୁର ପରିବା ମାର୍କେଟରେ ପହଞ୍ଚିଥିଲେ । ଭୋର୍ ପ୍ରାୟ ୪ଟା ସମୟରେ ରାହୁଲ ଏସିଆର ଅନ୍ୟତମ ସର୍ବବୃହତ ହୋଲସେଲ୍ ପରିବା ହାଟରେ ପହଞ୍ଚି ବ୍ୟବସାୟୀ ଓ ଲୋକଙ୍କ ସହ ପନିପରିବାର ଆକାଶଛୁଆଁ ଦରଦମ୍ ସମ୍ପର୍କରେ କଥା ହୋଇଥିଲେ ।

ଦେଶରେ ସମ୍ପ୍ରତି ପନିପରିବା ଦର ହୁ ହୁ ହୋଇ ବଢ଼ି ଚାଲିଛି ‌। ଟମାଟୋ କିଲୋ ପିଛା ୨୦୦ ଟପିଥିବା ବେଳେ ଅନ୍ୟ ପନିପରିବା ଦାମ୍ ମଧ୍ୟ ୧୦୦ ଛୁଇଁଲାଣି । ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ ଚଳିବା କଷ୍ଟକର ହୋଇପଡିଛି ।

ନିକଟରେ ଦିଲ୍ଲୀର ଆଜାଦପୁର ହୋଲସେଲ ପରିବା ବଜାରରେ ଟମାଟୋର ଆକାଶଛୁଆଁ ଦର ନେଇ ଜଣେ ପରିବା ବ୍ୟବସାୟୀ କାନ୍ଦୁଥିବା ଭିଡ଼ିଓ ଭାଇରାଲ ହୋଇଥିଲା । ରାହୁଲ ଗାନ୍ଧୀ ମଧ୍ୟ ଏହି କ୍ଲିପ୍ ସେୟାର କରିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ଏହି ଭିଡିଓକୁ ଟ୍ୱିଟରରେ ସେୟାର କରି କହିଥିଲେ, ଦେଶକୁ ଦୁଇଟି ଶ୍ରେଣୀରେ ଭାଗ କରାଯାଉଛି। ଗୋଟିଏ ପଟେ ପ୍ରଭାବଶାଳୀ ଲୋକ ଅଛନ୍ତି ଯେଉଁମାନେ କ୍ଷମତାକୁ ସୁରକ୍ଷା ଦେଇଛନ୍ତି ଏବଂ ଯାହାର ନିର୍ଦ୍ଦେଶରେ ଦେଶର ନୀତିନିୟମ ପ୍ରସ୍ତୁତ କରାଯାଉଛି | ଏବଂ ଅନ୍ୟ ପାର୍ଶ୍ୱରେ ସାଧାରଣ ଭାରତୀୟ ଅଛନ୍ତି, ଯାହାଙ୍କ ପାଇଁ ପନିପରିବା ଭଳି ମୌଳିକ ଜିନିଷ ମଧ୍ୟ ଅପହଞ୍ଚ ହୋଇଯାଉଛି | ଆମକୁ ଧନୀ ଓ ଗରିବଙ୍କ ମଧ୍ୟରେ ବଢ଼ି ଚାଲିଥିବା ଏହି ଅନ୍ତରକୁ ଭରିବାକୁ ହେବ, ଏହି ଲୁହ ପୋଛିବାକୁ ପଡିବ।

Comments are closed.