ସ୍ମୃତି ଇରାନୀଙ୍କୁ ଫ୍ଲାଇଙ୍ଗ୍ କିସ୍ ଦେଲେ ରାହୁଲ ଗାନ୍ଧୀ ! ଲୋକସଭା ବାଚସ୍ପତିଙ୍କୁ ଅଭିଯୋଗ କଲେ ବିଜେପିର ମହିଳା ସାଂସଦ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଶ୍ଲୀଳ ଇଙ୍ଗିତ କରିଥିବା ଅଭିଯୋଗ କରିଛନ୍ତି। ଲୋକସଭାରେ ବୁଧବାର ରାହୁଲ ତାଙ୍କୁ ଫ୍ଲାଇଙ୍ଗ୍ କିସ୍ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ଇରାନୀ । ରାହୁଲଙ୍କ ବିରୋଧରେ ଇରାନୀଙ୍କ ଏପରି ଚାଞ୍ଚଲ୍ୟକର ଅଭିଯୋଗ ପରେ ବିଜେପି ମହିଳା ସାଂସଦମାନେ ଲୋକସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ସ୍ମୃତି ଇରାନୀ ଗୃହରେ କହିଛନ୍ତି, ଯାହାଙ୍କୁ (ରାହୁଲ ଗାନ୍ଧୀ) ମୋଠୁ ଆଗରେ ବୟାନ ଦେବାକୁ ସୁଯୋଗ ମିଳିଥିଲା, ସେ ଯିବା ସମୟରେ ଏକ ଅଶ୍ଳୀଳ ଇଶାରା କରିଥିଲେ। ଏହା କେବଳ ଜଣେ ମହିଳାଦ୍ବେଷୀ ବ୍ୟକ୍ତି ହିଁ କରିପାରେ ଯିଏ ସେହି ସଂସଦର ମହିଳା ସଦସ୍ୟମାନଙ୍କ ଉପସ୍ଥିତିରେ ଫ୍ଲାଇଙ୍ଗ୍ କିସ୍ ଦିଅନ୍ତି | ଏଭଳି ଅସଭ୍ୟ ଆଚରଣ ଏହି ଦେଶର ସଂସଦରେ କେବେ ଆଗରୁ ଦେଖିବାକୁ ମିଳିନଥିଲା।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କେନ୍ଦ୍ର ମନ୍ତ୍ରୀ ଇରାନୀ କହିଛନ୍ତି, ଆଇନ୍ ଉଲ୍ଲଂଘନ କରୁଥିବା ଲୋକମାନେ ମହିଳାମାନଙ୍କୁ ଏପରି ଅଶ୍ଳୀଳ ଇଙ୍ଗିତ କରିଛନ୍ତି। ଏହା ଗାନ୍ଧୀ ପରିବାରର ସଂସ୍କାର ବୋଲି ଜଣା ନଥିଲା।

ରାହୁଲ ଗାନ୍ଧୀଙ୍କ ବିରୋଧରେ ଇରାନୀଙ୍କ ଅଭିଯୋଗ ପରେ ବିଜେପିର ୨୦ ଜଣ ମହିଳା ସାଂସଦ ଲୋକସଭା ବାଚସ୍ପତିଙ୍କୁ ଭେଟି ଏହି କଂଗ୍ରେସ ନେତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ଶୋଭା କରନ୍ଦଲାଜେ କହିଛନ୍ତି ସଂସଦର ଜଣେ ସଦସ୍ୟ ପ୍ରଥମ ଥର ପାଇଁ ସଂସଦ ଭିତରେ ଜଣେ ମହିଳାଙ୍କୁ ଫ୍ଲାଇଙ୍ଗ କିସ୍ ଦେଉଛନ୍ତି। ରାହୁଲ ଗାନ୍ଧୀ ସମସ୍ତ ମହିଳା ସଦସ୍ୟଙ୍କୁ ଫ୍ଲାଇଙ୍ଗ କିସ୍ ଦେବା ପରେ ଗୃହରୁ ଚାଲି ଯାଇଥିଲେ। ସିସିଟିଭି ଫୁଟେଜ ଆଧାରରେ ରାହୁଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କରନ୍ଦଲାଜେ ଦାବି କରିଛନ୍ତି। ଅନ୍ୟପକ୍ଷରେ ବିଜେପି ସାଂସଦ ରବି ଶଙ୍କର ପ୍ରସାଦ ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କରି ତାଙ୍କ ପାଖରେ ଶାଳୀନତାର ଅଭାବ ବୋଲି କହିଛନ୍ତି ।

ପୂର୍ବରୁ ରାହୁଲ ଗାନ୍ଧୀ ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ବକ୍ତବ୍ୟ ରଖି ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ ।

Comments are closed.