ତପ୍ତପାଣି ଘାଟିରେ ଯୁବତୀଙ୍କୁ ହତ୍ୟା: ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଧରିଲା ପୋଲିସ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ଇଲାକାରେ ପୋଡ଼ାମାରିର ଯୁବତୀ ସଙ୍ଗୀତା ପ୍ରଧାନଙ୍କ ହତ୍ୟା ଘଟଣାରେ ପାଟପୁର ଥାନା ପୋଲିସକୁ ବଡ଼ ସଫଳତା। ମୃତଦେହ ମିଳିବାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଅଭିଯୁକ୍ତ ଜଣକ ହେଉଛି ସଙ୍ଗୀତାଙ୍କ ପ୍ରେମିକ ତଥା ପାଟପୁର ଥାନା ଅନ୍ତର୍ଗତ ସିନ୍ଦୁରପୁରର ମିଥୁନ ବିଷୋୟୀ। ପ୍ରେମିକା ବିବାହ ପାଇଁ ବାଧ୍ୟ କରିବାରୁ ତାକୁ ହତ୍ୟା କରିଥିଲା ମିଥୁନ। ପୋଲିସ ନିକଟରେ ସେ ଅଭିଯୋଗ ସ୍ବୀକାର କରିଥିବା ବେଳେ ସଙ୍ଗୀତାଙ୍କ ଠାରୁ ସେ ଲୁଟି ନେଇଥିବା ସୁନା ରୁପା ଅଳଙ୍କାରକୁ ମଧ୍ୟ ଜବତ କରିଛି ପୋଲିସ। ଆଜି ତାକୁ ନେଇ ପୋଲିସ ଘଟଣାସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏସନ କରିଛି।

ମଙ୍ଗଳବାର ଶବ ମିଳିବା ପରେ ସଙ୍ଗୀତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ। ପୋଲିସ ସେହି ଆଧାରରେ ତଦନ୍ତ କରି ପ୍ରେମିକ ମିଥୁନକୁ ଦିନକ ମଧ୍ୟରେ ଗିରଫ କରିଛି। ସେ ଲୁଚେଇ ରଖିଥିବା ହତ୍ୟାରେ ବ୍ୟବହୃତ ପଥର ଜବତ ହୋଇଛି। ଗତ ୩ ତାରିଖରେ ଘରୁ ଫେରାର ହୋଇ ଯାଇଥିଲେ ସଙ୍ଗୀତା ଓ ମିଥୁନ। ଦିନକ ପରେ ସଙ୍ଗୀତାଙ୍କୁ ହତ୍ୟା କରି ଘାଟିର ଏକ ଖାଲୁଆ ଜାଗାରେ ଫୋପାଡ଼ି ଦେବା ସହ ଶବ ଉପରେ ପଥର ପକାଇ ଦେଇଥିଲା। ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆସିକା ଏସଡିପିଓ ଉମା ଶଙ୍କର ସିଂ ଉପରୋକ୍ତ ସୂଚନା ଦେଇଛନ୍ତି।

Comments are closed.