ଏସିଆନ୍ ଚାମ୍ପିଅନ୍ସ ଟ୍ରଫି: ଜାପାନକୁ ୫-୦ରେ ହରାଇ ଫାଇନାଲରେ ଭାରତ

ଚେନ୍ନାଇ: ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୩ର ଦ୍ବିତୀୟ ସେମିଫାଇନାଲରେ ଭାରତୀୟ ହକି ଦଳ ଶୁକ୍ରବାର ଜାପାନକୁ ୫-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ଭାରତର ମୁକାବିଲା ମାଲେସିଆ ସହ ହେବ । ସେମିଫାଇନାଲରେ ଭାରତୀୟ ଦଳ ଆରମ୍ଭରୁ ପ୍ରାଧାନ୍ୟ ଜାହିର କରିଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୩-୦ରେ ଅଗ୍ରଣୀ ରହିଥିଲା। ଏହା ପରେ ଦ୍ୱିତୀୟାର୍ଦ୍ଧରେ ଦଳ ଆଉ ଦୁଇଟି ଗୋଲ୍ ସ୍କୋର କରି ଏକତରଫା ବିଜୟ ହାସଲ କରିଥିଲା।

ଭାରତ ଏଯାବତ୍ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ ସହ ଅପରାଜେୟ ରହିଛି। ସେମିଫାଇନାଲରେ ମଧ୍ୟ ଦଳ ଏହାକୁ ବଜାୟ ରଖିଥିଲା। ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ସ୍କୋର କରିପାରି ନଥିଲେ। ଏହା ପରେ ଅର୍ଶଦୀପ ସିଂ ଭାରତ ପାଇଁ ଖାତା ଖୋଲିଥିଲେ। ସେ ୧୯ତମ ମିନିଟରେ ଗୋଲ ଦେଇଥିଲେ। ଏହାପରେ ଅଧିନାୟକ ହରମନପ୍ରୀତ ସିଂ ୨୩ତମ ମିନିଟରେ ଗୋଲ୍ କରି ଅଗ୍ରଣୀକୁ ୨-୦ କରିଦେଇଥିଲେ । ଦଳ ପକ୍ଷରୁ ମନଦୀପ ସିଂ, ସୁମିତ ଏବଂ କାର୍ତ୍ତି ସେଲଭାମ ମଧ୍ୟ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ।

ଏହାପୂର୍ବରୁ ଦୁଇ ବର୍ଷ ପୂର୍ବେ ଢାକାରେ ସେମିଫାଇନାଲ ମ୍ୟାଚରେ ଜାପାନ ଭାରତକୁ ୫-୩ରେ ହରାଇଥିଲା। କିନ୍ତୁ ଏଥର ଟିମ୍ ଇଣ୍ଡିଆ ମଧୁର ପ୍ରତିଶୋଧ ନେଇଛି।

ଆଜିର ସେମିଫାଇନାଲ ମ୍ୟାଚ୍ ଭାରତୀୟ ଗୋଲକିପର ପି.ଶ୍ରୀଜେଶଙ୍କ ପାଇଁ ବେଶ୍ ସ୍ୱତନ୍ତ୍ର ଥିଲା। ଏହା ତାଙ୍କ କ୍ୟାରିୟରର ୩୦୦ତମ ମ୍ୟାଚ୍ ଥିଲା | ମ୍ୟାଚ୍ ପୂର୍ବରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Comments are closed.