ମଦୁରାଇ ଷ୍ଟେସନରେ ବଡ଼ ଅଘଟଣ, ଟ୍ରେନରେ ନିଆଁ ଲାଗି ୧୦ ମୃତ

ଚେନ୍ନାଇ: ତାମିଲନାଡୁର ମଦୁରାଇ ଷ୍ଟେସନରେ ବଡ଼ ଅଘଟଣ। ଷ୍ଟେସନରେ ଛିଡା ହୋଇଥିବା ଏକ ଟ୍ରେନରେ ନିଆଁ ଲାଗିଯିବାରୁ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଲକ୍ଷ୍ନୌରୁ ରମେଶ୍ୱରାମ ଯାଉଥିବା ଟ୍ରେନ ମଦୁରାଇ ଷ୍ଟେସନରେ ପହଞ୍ଚିବା ପରେ ଏକ ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା । ଏହି ଘଟଣା ସକାଳ ପ୍ରାୟ ୫:୩୦ରେ ଘଟିଥିଲା । ଟ୍ରେନର ଏକ ବଗିରେ ରଖାଯାଇଥିବା ଏକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେବାରୁ ନିଆଁ ଲାଗିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

କୋଚରେ ସିଲିଣ୍ଡର ବେଆଇନ ଭାବେ ନିଆଯାଉଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।

ଏହି ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ ରେଳବାଇ ତରଫରୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ସମସ୍ତ ସମ୍ଭାବ୍ୟ ସହାୟତା ବୃଦ୍ଧି କରାଯିବ ବୋଲି ଜୋର ଦିଆଯାଇଛି।

Comments are closed.