ସନାତନ ଧର୍ମ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପୁଅଙ୍କ ବିବାଦୀୟ ମନ୍ତବ୍ୟ, ଜୋର୍ ଧରିଲା ରାଜନୀତି

ନୂଆଦିଲ୍ଲୀ: ସନାତନ ଧର୍ମ ଉପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ନେଇ ରାଜନୀତି ଜୋର୍ ଧରିଛି । ଉଦୟନିଧି ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ଘାତକ ରୋଗ ସହ ତୁଳନା କରି ଏହାର ମୂଳୋତ୍ପାଟନ କରିବାକୁ ଆହ୍ବାନ ଦେଇଛନ୍ତି । ସନାତନ ଧର୍ମ ମନ୍ତବ୍ୟ ନେଇ ବିଜେପି ଷ୍ଟାଲିନଙ୍କୁ ତୀବ୍ର ସମାଲୋଚନା କରିଛି । ଏହି ପ୍ରସଙ୍ଗରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟକୁ ବି ଆକ୍ରମଣ କରିଛି ବିଜେପି ।

ଏକ କାର୍ଯ୍ୟକ୍ରମରେ ଉଦୟନିଧି ଷ୍ଟାଲିନ କହିଥିଲେ ଯେ, ‘ସନାତନ ଧର୍ମ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି, ତେଣୁ ଏହାକୁ ଖାଲି ବିରୋଧ କଲେ ହେବନି ବରଂ ମୂଳୋତ୍ପାଟନ କରାଯିବା ଉଚିତ।’ ଷ୍ଟାଲିନଙ୍କ ପୁଅଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ତାମିଲନାଡୁ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି ଉଠିଛି ।

ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ମଧ୍ୟ ଷ୍ଟାଲିନଙ୍କୁ ଟାର୍ଗେଟ୍ କରିଛନ୍ତି । ମାଲବ୍ୟ ଟ୍ବିଟ୍ କରି କହିଛନ୍ତି “ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ତଥା ଡିଏମକେ ସରକାରରେ ଜଣେ ମନ୍ତ୍ରୀ ସନାତନ ଧର୍ମକୁ ମ୍ୟାଲେରିଆ, ଡେଙ୍ଗୁ ସହ ଯୋଡିଛନ୍ତି। ସେମାନେ ସନାତନ ଧର୍ମକୁ ଶେଷ କରିବାକୁ ଚାହୁଁଛନ୍ତି। ସଂକ୍ଷେପରେ କହିବାକୁ ଗଲେ ଉଦୟନିଧି ସନାତନ ଧର୍ମରେ ବିଶ୍ବାସ କରୁଥିବା ଭାରତର ୮୦% ଲୋକଙ୍କ ନରସଂହାର ପାଇଁ ଆହ୍ବାନ କରୁଛନ୍ତି। ଡିଏମକେ ବିରୋଧୀ ମେଣ୍ଟର ଜଣେ ପ୍ରମୁଖ ସଦସ୍ୟ ତଥା କଂଗ୍ରେସର ଘନିଷ୍ଠ ସହଯୋଗୀ। ସେମାନଙ୍କ ମୁମ୍ବାଇ ବୈଠକରେ କ’ଣ ଏ ବିଷୟରେ ସହମତ ହୋଇଥିଲା ? ”

ମାଲବ୍ୟ ଆହୁରି କହିଛନ୍ତି, ରାହୁଲ ଗାନ୍ଧୀ ‘ପ୍ରେମର ଦୋକାନ’ କଥା କହୁଛନ୍ତି, କିନ୍ତୁ କଂଗ୍ରେସ ସହଯୋଗୀ ଡିଏମକେର ବଂଶଧରମାନେ ସନାତନ ଧର୍ମର ଅନ୍ତ ଘଟାଇବାକୁ କହିଲେଣି । ଏନେଇ କଂଗ୍ରେସର ନୀରବତା ସନାତନ ଧର୍ମାବଲମ୍ବୀଙ୍କ ନରସଂହାର ପାଇଁ ସମର୍ଥନ।ର ବୋଲି ଧରାଯିବ।

ସେପଟେ ତାଙ୍କ ମନ୍ତବ୍ୟ ନେଇ ବିବାଦ ପରେ ଉଦୟନିଧି ସ୍ପଷ୍ଟୀକରଣ ଦେଇଛନ୍ତି। ଅମିତ ମାଲବ୍ୟଙ୍କ ଟ୍ୱିଟର ଜବାବ ଦେଇ ସେ ଲେଖିଛନ୍ତି, ‘ମୁଁ ସନାତନ ଧର୍ମ ମାନୁଥିବା ଲୋକଙ୍କ ଗଣହତ୍ୟା ପାଇଁ କେବେବି ଆହ୍ବାନ କରି ନାହିଁ। ସନାତନ ଧର୍ମ ହେଉଛି ଏପରି ଏକ ସିଦ୍ଧାନ୍ତ ଯାହା ଜାତି ଓ ଧର୍ମ ନାମରେ ଲୋକଙ୍କୁ ବିଭକ୍ତ କରେ। ସନାତନ ଧର୍ମକୁ ଉଚ୍ଛେଦ କରିବା ହେଉଛି ମାନବିକତା ଏବଂ ମାନବିକ ସମାନତାକୁ ସମର୍ଥନ କରିବା। ମୁଁ କହିଥିବା ପ୍ରତ୍ୟେକ ଶବ୍ଦରେ ଅଟଳ ଅଛି | ସନାତନ ଧର୍ମ କାରଣରୁ ଯନ୍ତ୍ରଣା ଭୋଗୁଥିବା ଦଳିତଙ୍କ ତରଫରୁ ମୁଁ ଏହା କହିଥିଲି। ମୁଁ ଏଥିପାଇଁ କୋର୍ଟ ଲଢ଼େଇ ପାଇଁ ମଧ୍ୟ ପ୍ରସ୍ତୁତ ।

Comments are closed.