ଜିମ୍ବାୱେର ପୂର୍ବତନ କ୍ରିକେଟ୍ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ପରଲୋକ

ହରାରେ: ଦୀର୍ଘ ଦିନ ଧରି କର୍କଟ ରୋଗ ସହ ସଂଗ୍ରାମ ପରେ ଜିମ୍ବାୱେ କ୍ରିକେଟ୍ କିମ୍ବଦନ୍ତୀ ତଥା ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ରବିବାର ପରଲୋକ ହୋଇଯାଇଛି । ସୋସିଆଲ ମିଡିଆରେ ତାଙ୍କ ପରିବାର ଏହି ଖବର ନିଶ୍ଚିତ କରିଛନ୍ତି। ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା।

୧୯୯୩ ରୁ ୨୦୦୫ ପର୍ଯ୍ୟନ୍ତ ଜିମ୍ବାୱେ ପାଇଁ ୬୪ଟି ଟେଷ୍ଟ ଏବଂ ୧୮୯ଟି ଦିନିକିଆ ଖେଳିଥିବା ଷ୍ଟ୍ରିକ୍ ଦୀର୍ଘ ସମୟ ଧରି ଯକୃତ କର୍କଟରେ ପୀଡ଼ିତ ଥିଲେ ।

ଷ୍ଟ୍ରିକଙ୍କ ଦେହାନ୍ତ ଖବର ନେଇ ପତ୍ନୀ ନାଦିନ୍ ଫେସବୁକରେ ଲେଖିଛନ୍ତି, “ଆଜି, ରବିବାର ସେପ୍ଟେମ୍ବର ୩, ୨୦୨୩ ସକାଳେ ମୋ’ ଜୀବନର ସବୁଠାରୁ ବଡ଼ ପ୍ରେମ ଏବଂ ମୋର ସୁନ୍ଦର ପିଲାମାନଙ୍କର ବାପାଙ୍କୁ ତାଙ୍କ ଘରୁ ଏଞ୍ଜେଲ୍ସମାନେ ନେଇଯାଇଛନ୍ତି। ସେ ତାଙ୍କ ଘରେ ଥିଲେ, ଯେଉଁଠି ସେ ତାଙ୍କ ପରିବାର ଏବଂ ନିକଟତମ ଆତ୍ମୀୟଙ୍କ ସହ ଶେଷ ମୁହୂର୍ତ୍ତ ବିତାଇବାକୁ ଚାହୁଁଥିଲେ |

ତାଙ୍କ ଠାରେ ପ୍ରେମ ଏବଂ ଶାନ୍ତି ଭରି ରହିଥିଲା ଏବଂ ସେ କେବେ ଏକୁଟିଆ ଅନୁଭବ କରିନଥିଲେ ବୋଲି ନାଦିନ୍ କହିଛନ୍ତି। ଆମ ଆତ୍ମା ଅନନ୍ତକାଳ ପାଇଁ ଏକ ହୋଇଯାଇଛି … ଯେପର୍ଯ୍ୟନ୍ତ ମୁଁ ତୁମକୁ ବାହୁରେ ପୁଣି ନ ତୋଳି ଧରିଛି। ”

ଜିମ୍ବାୱେର ପୂର୍ବତନ ଫାଷ୍ଟ ବୋଲର ହେନେରୀ ଓଲୋଙ୍ଗା କିଛି ଦିନ ତଳେ ସୋସିଆଲ ମିଡିଆରେ ଷ୍ଟ୍ରିକଙ୍କ ମୃତ୍ୟୁ ହୋଇଛି ବୋଲି ଘୋଷଣା କରିଥିଲେ । କିନ୍ତୁ ଖୋଦ୍ ଷ୍ଟ୍ରିକଙ୍କ ଠାରୁ ମେସେଜ୍ ପାଇବା ପରେ ସେ କିଛି ଘଣ୍ଟା ମଧ୍ୟରେ ଏହି ଖବରକୁ ଖଣ୍ଡନ କରିଥିଲେ। ସେତେବେଳକୁ ଅନେକ ପୂର୍ବତନ କ୍ରିକେଟର ଶୋକ ପ୍ରକାଶ କରିବା ସହ ନିଜ ସମବେଦନା ଜଣାଇ ଟ୍ବିଟ୍ କରିସାରିଥିଲେ ।

ରବିବାର ଏକ୍ସ (ପୂର୍ବରୁ ଟ୍ୱିଟର)ରେ ଓଲୋଙ୍ଗା ଲେଖିଛନ୍ତି, “ଆରଆଇପି ଷ୍ଟ୍ରିକ୍” |

ଷ୍ଟ୍ରିକ୍ ଟେଷ୍ଟ କ୍ରିକେଟରେ ୨୧୬ ୱିକେଟ୍ ନେଇଥିଲେ । ଏଥିସହ ସେ ଏହି ଫର୍ମାଟରେ ୧୯୯୦ ରନ୍ ସଂଗ୍ରହ କରିଥିଲେ । ଏଥିରେ ଗୋଟିଏ ଶତକ ଏବଂ ୧୧ ଅର୍ଦ୍ଧଶତକ ସାମିଲ | ସେ ୧୮୯ଟି ଦିନିକିଆରେ ୨୩୯ ୱିକେଟ୍ ନେଇଥିଲେ ଓ ୧୩ଟି ଅର୍ଦ୍ଧଶତକ ସହାୟତାରେ ୨୯୪୩ ରନ୍ କରିଥିଲେ | ଷ୍ଟ୍ରିକ୍ ଟେଷ୍ଟ ଓ ଦିନିକିଆରେ ଜିମ୍ବାୱେର ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ।

ଷ୍ଟ୍ରିକ୍ ୬୮ଟି ଦିନିକିଆରେ ଜିମ୍ବାୱେର ଅଧିନାୟକତ୍ୱ କରିଥିଲେ । ସେଥିମଧ୍ୟରୁ ଜିମ୍ବାୱେ ୧୮ଟି ମ୍ୟାଚ୍ ଜିତିଥିବା ବେଳେ ୪୭ଟି ମ୍ୟାଚ୍ ହାରିଥିଲା | ତିନୋଟି ମ୍ୟାଚର କୌଣସି ଫଳାଫଳ ବାହାରି ନଥିଲା ।

ଟେଷ୍ଟରେ ମଧ୍ୟ ଷ୍ଟ୍ରିକ୍ ୨୧ଟି ମ୍ୟାଚରେ ଜିମ୍ବାୱେର ନେତୃତ୍ବ ନେଇଥିଲେ । ଏଥିମଧ୍ୟରୁ ଚାରିଟି ଜିତିଥିବା ବେଳେ ୧୧ଟି ହାରିଥିଲେ। ଆଉ ୬ଟି ମ୍ୟାଚ୍ ଡ୍ରରେ ଶେଷ ହୋଇଥିଲା।

ବୋର୍ଡ ସହିତ ବିବାଦ କାରଣରୁ ହିଥ୍ ଷ୍ଟ୍ରିକ୍ ମାତ୍ର ୩୧ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଅବସର ପରେ ଷ୍ଟ୍ରିକ୍ ୨୦୦୫ରେ କୋଚିଂ କ୍ଷେତ୍ରରେ ପାଦ ଦେଇଥିଲେ । ସେ ଆଇପିଏଲ୍ ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସ ବ୍ୟତୀତ, ଉତ୍ତର ପ୍ରଦେଶ ରଣଜୀ ଟିମ୍, ବାଂଲାଦେଶ, ଜିମ୍ବାୱେର କୋଚ୍ ଦାୟିତ୍ବ ତୁଲାଇଥିଲେ । ୨୦୨୧ରେ ଆଇସିସି ଷ୍ଟ୍ରିକଙ୍କୁ ଦୁର୍ନୀତି ନିବାରଣ ସଂହିତା ଉଲ୍ଲଂଘନ ପାଇଁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୮ ବର୍ଷ ବାସନ୍ଦ କରିଥିଲା ।

Comments are closed.