ଦେଶକୁ ‘ଇଣ୍ଡିଆ’ କିମ୍ବା ‘ଭାରତ’ କହିବା ଲୋକଙ୍କ ଇଚ୍ଛାଧୀନ ବୋଲି କହିଥିଲେ ସୁପ୍ରିମକୋର୍ଟ, ଦେଶର ନାମ ପରିବର୍ତ୍ତନ ଆବେଦନ କରିଥିଲେ ଖାରଜ

ନୂଆଦିଲ୍ଲୀ: ଦେଶର ନାମ ପରିବର୍ତ୍ତନ ଚର୍ଚ୍ଚା ମଧ୍ୟରେ ୨୦୧୬ରେ ସୁପ୍ରିମକୋର୍ଟଙ୍କ ରାୟ ଗୁରୁତ୍ବ ବହନ କରୁଛି । ଦେଶର ନାଁ ‘ଇଣ୍ଡିଆ’ ରୁ ‘ଭାରତ’ କରିବାକୁ ଦାବିକରି ଦାୟର ଏକ ଜନସ୍ୱାର୍ଥ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରି କହିଥିଲେ, ଲୋକେ ନିଜ ଇଚ୍ଛା ଅନୁସାରେ ଦେଶକୁ ‘ଇଣ୍ଡିଆ’ ଅବା ‘ଭାରତ’ କହିପାରିବେ ।

ଜି-୨୦ ପାଇଁ ନୈଶ ଭୋଜି ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯିବା ନେଇ ଦେଶବ୍ୟାପୀ ବିତର୍କ ସୃଷ୍ଟି ହୋଇଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ଦେଶର ନାମ ପରିବର୍ତ୍ତନ ଆବେଦନ ଖାରଜ କରାଯିବା ବର୍ତ୍ତମାନ ପ୍ରାସଙ୍ଗିକ ମନେ ହେଉଛି ।

ତତ୍କାଳୀନ ପ୍ରଧାନ ବିଚାରପତି ଟି.ଏସ୍ ଠାକୁର ଏବଂ ଜଷ୍ଟିସ୍ ୟୁୟୁ ଲଲିତଙ୍କ ଏକ ଖଣ୍ଡପୀଠ ୨୦୧୬ରେ ମହାରାଷ୍ଟ୍ରର ଜଣେ ବ୍ୟକ୍ତି ନିରଂଜନ ଭଟୱାଲଙ୍କ ଦ୍ବାରା ଦାଖଲ ଏକ ଜନସ୍ୱାର୍ଥ ମାମଲା ଖାରଜ କରି କହିଥିଲେ, ଯଦି ଆପଣ ‘ଭାରତ’ ବୋଲି କହିବାକୁ ଚାହୁଁଛନ୍ତି ତେବେ କୁହନ୍ତୁ | ଆଉ କେହି ଯଦି ‘ଇଣ୍ଡିଆ’ ବୋଲି କହିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ କହିବାକୁ ଦିଅନ୍ତୁ |

ଏହି ରାୟ ଦେଇଥିବା ଉଭୟ ବିଚାରପତି ବର୍ତ୍ତମାନ ଅବସର ଗ୍ରହଣ କରିସାରିଛନ୍ତି ।

ଜି-୨୦ ନିମନ୍ତ୍ରଣ ପତ୍ରକୁ ନେଇ ସମ୍ପ୍ରତି ବିରୋଧୀଙ୍କ ସମାଲୋଚନାର ସମ୍ମୁଖୀନ ହୋଇଥିବା କେନ୍ଦ୍ରର ବିଜେପି ସରକାର ମଧ୍ୟ ନଭେମ୍ବର ୨୦୧୫ରେ ଦେଶର ନାଁ ‘ଇଣ୍ଡିଆ’ ବଦଳରେ ‘ଭାରତ’ କରିବାକୁ ବିରୋଧ କରିଥିଲା । ଦେଶର ନାମ ପରିବର୍ତ୍ତନ କରିବାକୁ କୌଣସି କାରଣ ନାହିଁ ବୋଲି କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟକୁ ଜଣାଇଥିଲେ ।

କୋର୍ଟ କହିଥିଲେ ଯେ, ସମ୍ବିଧାନର ଧାରା (୧)ରେ ପରିବର୍ତ୍ତନକୁ ବିଚାର କରିବା ପାଇଁ ସେପରି କୌଣସି ପରିସ୍ଥିତି ଉପୁଜି ନାହିଁ ।

ସମ୍ବିଧାନର ଧାରା (୧) ରେ କୁହାଯାଇଛି, ଇଣ୍ଡିଆ ଅର୍ଥାତ୍ ଭାରତ ହେଉଛି ରାଜ୍ୟମାନଙ୍କ ଏକ ସଂଘ।

ଦେଶର ନାମ ପରିବର୍ତ୍ତନ କରିବାକୁ ବିରୋଧ କରି ଗୃହ ମନ୍ତ୍ରଣାଳୟ କହିଥିଲା, ସମ୍ବିଧାନ ପ୍ରସ୍ତୁତି ସମୟରେ ସମ୍ବିଧାନ ସଭାରେ ଦେଶର ନାମ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ସହମତି ଅନୁଯାୟୀ ଧାରା ୧ର ବ୍ୟବସ୍ଥା ନେଇ ସହମତି ପ୍ରକାଶ ପାଇଥିଲା।

Comments are closed.