ଜି -୨୦: ବର୍ଷାରେ ଭାରତ ମଣ୍ଡପମ୍ ଜଳମଗ୍ନ, କଂଗ୍ରେସ କହିଲା ‘ବିକାଶ ପହଁରୁଛି’

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ବର୍ଷା ଯୋଗୁଁ ଜି-୨୦ ସଭାସ୍ଥଳ ‘ଭାରତ ମଣ୍ଡପମ୍’ରେ ପାଣି ପଶିଯାଇଛି । ବର୍ଷା ପରେ ଭାରତ ମଣ୍ଡପମର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଚାରିଆଡେ ଖାଲି ପାଣି ଦେଖିବାକୁ ମିଳୁଛି । ଆଉ ଏହା ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିବା ପାଇଁ କଂଗ୍ରେସକୁ ଖୋରାକ୍ ଯୋଗାଇଛି ।

ପାଣିରେ ଭରି ଯାଇଥିବା ଜି-୨୦ ସଭାସ୍ଥଳ ‘ଭାରତ ମଣ୍ଡପମ୍’ର ଭିଡ଼ିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରି ଭାରତୀୟ ଯୁବ କଂଗ୍ରେସ ସଭାପତି ବିଭି ଶ୍ରୀନିବାସ ଲେଖିଛନ୍ତି, ‘ଜି-୨୦ ସଦସ୍ୟଙ୍କ ଆତିଥ୍ୟ ପାଇଁ କୋଟି କୋଟି ଟଙ୍କାରେ ନିର୍ମିତ ‘ଭାରତ ମଣ୍ଡପମ୍’ର ଦୃଶ୍ୟ.. ବିକାଶ ପହଁରୁଛି…। ”

ସମାନ ଭିଡିଓ କଂଗ୍ରେସର ଅଫିସିଆଲ୍ ମିଡିଆ ପ୍ଲାଟଫର୍ମ ଆଇଏନସି-ଟିଭି ପକ୍ଷରୁ ମଧ୍ୟ ଏକ୍ସରେ ସେୟାର କରାଯାଇ ଲେଖାଯାଇଥିଲା – ଫମ୍ପା ବିକାଶର ଖୋଲିଗଲା ପୋଲ୍ | ଜି-୨୦ ପାଇଁ ଭାରତ ମଣ୍ଡପମର ନିର୍ମାଣ ହୋଇଥିଲା । ଏଥିପାଇଁ ୨,୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଗୋଟିଏ ବର୍ଷା ସବୁ ନଷ୍ଟ କରିଦେଲା । ‌”

ସେହିପରି ଆମ୍ ଆଦମୀ ପାର୍ଟି ମଧ୍ୟ ଭାରତ ମଣ୍ଡପମ୍ ଜଳମଗ୍ନ ହେବା ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି । ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ଏକ୍ସରେ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଟ୍ୟାଗ୍ କରି କହିଛନ୍ତି, ” ଏହା ଏକ ଗମ୍ଭୀର ବିଷୟ । ମୁଣ୍ଡ ଗଡିବା ଉଚିତ୍ ।”

ଜି-୨୦ ସଭାସ୍ଥଳରେ ବର୍ଷା ପାଣି ପଶିବା ନେଇ କିଛି ଲୋକ ମଧ୍ୟ କଟାକ୍ଷ କରିଛନ୍ତି । ଅତିଥି ମାନଙ୍କ ପାଇଁ ଏହା ଓ୍ବାଟର ପାର୍କ ବୋଲି କହିଛନ୍ତି ।

Comments are closed.