ଅଯୋଧ୍ୟା ରାମ ମନ୍ଦିର ଉପରେ ଉଦ୍ଧବ ଠାକରେଙ୍କ ବୟାନ ନେଇ ବିଜେପିର ଆପତ୍ତି

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ସମ୍ପର୍କରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ବୟାନ ନେଇ ଆପତ୍ତି ଉଠାଇଛି ବିଜେପି ।

ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଦୃଢ଼ ସମର୍ଥକ ଥିଲେ ବାଲା ସାହେବ ଠାକରେ । କିନ୍ତୁ ତାଙ୍କ ପୁଅ ଉଦ୍ଧବ ଠାକରେ ରାମ ମନ୍ଦିର ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି ।

ସେ କହିଛନ୍ତି, “ଉଦ୍ଧବ ଠାକରେଙ୍କ ମନ୍ତବ୍ୟ ପ୍ରମାଣ ଯେ ଭୋଟ୍ ପାଇଁ ବିରୋଧୀ ମେଣ୍ଟ ଯେକୌଣସି ସ୍ତରକୁ ଯାଇପାରେ। ଭଗବାନ ଉଦ୍ଧବ ଠାକରେଙ୍କୁ ଜ୍ଞାନ ଦିଅନ୍ତୁ।”

ନିଜ ଦଳର ଏକ ସାଧାରଣ ସଭାରେ ଉଦ୍ଧବ ଠାକରେ ବିଜେପିକୁ ଟାର୍ଗେଟ କରି କହିଥିଲେ, “ରାମ ମନ୍ଦିରର ଉଦଘାଟନ ପାଇଁ ବହୁ ସଂଖ୍ୟାରେ ଲୋକଙ୍କୁ ଅଯୋଧ୍ୟା ନିଆଯିବ । ଲୋକମାନେ ଟ୍ରକ୍ ଏବଂ ବସ୍ ରେ ଯିବେ । କିନ୍ତୁ ସେମାନେ ଫେରିବା ସମୟରେ ଗୋଧ୍ରା ଭଳି ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର ହୋଇପାରେ । ”

୨୭ ଫେବୃଆରୀ ୨୦୦୨ରେ କିଛି ତୀର୍ଥଯାତ୍ରୀ ଏବଂ କର ସେବକ ସାବିତ୍ରୀ ଏକ୍ସପ୍ରେସ ଟ୍ରେନରେ ଅଯୋଧ୍ୟାରୁ ଫେରୁଥିଲେ। ତେବେ ଗୁଜରାଟର ଗୋଧ୍ରା ଷ୍ଟେସନ ନିକଟରେ କିଛି ଲୋକ ଟ୍ରେନରେ ନିଆଁ ଲଗାଇ ଦେବା ଫଳରେ ୫୯ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ଏହି ଘଟଣା ପରେ ଗୁଜରାଟରେ ସାମ୍ପ୍ରଦାୟିକ ଦଙ୍ଗା ଆରମ୍ଭ ହୋଇଥିଲା। ସେତେବେଳେ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ।

Comments are closed.