କେରଳରେ ପୁଣି ନିପା ଭାଇରସ୍ ଆତଙ୍କ, ଦୁଇ ଜଣଙ୍କ ମୃତ୍ୟୁ ପରେ‌ ସ୍ବାସ୍ଥ୍ୟ ବିଭାଗ ଜାରି କଲା ଆଲର୍ଟ

କୋଜିକୋଡ : କେରଳରେ ପୁଣି ନିପା ଭାଇରସ୍ ଆତଙ୍କ। କୋଜିକୋଡ ଜିଲ୍ଲାରେ ସମ୍ଭାବ୍ୟ ନିପା ସଂକ୍ରମଣ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ଆଲର୍ଟ ଜାରି କରିଛନ୍ତି। ନିପା ଭାଇରସର ବିପଦକୁ ଦୃଷ୍ଟିରେ ରଖି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିଛନ୍ତି ।

ଏକ ଘରୋଇ ଡାକ୍ତରଖାନାରୁ ଦୁଇଜଣ ରୋଗୀଙ୍କ ମୃତ୍ୟୁ ସୂଚନା ମିଳିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏକ ବିବୃତ୍ତିରେ କହିଛି । ମୃତ ଦୁଇ ଜଣ ଲୋକ ନିପା ଭାଇରସରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ଜଣେ ମୃତକଙ୍କ ସମ୍ପର୍କୀୟ ମଧ୍ୟ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଉଲ୍ଲେଖଯୋଗ୍ୟ, ୨୦୧୮ ଓ ୨୦୨୧ରେ କୋଜିକୋଡ ଜିଲ୍ଲାରେ ନିପା ଭାଇରସ ସଂକ୍ରମଣ ଯୋଗୁଁ ଅନେକ ମୃତ୍ୟୁ ରେକର୍ଡ କରାଯାଇଥିଲା। ଦକ୍ଷିଣ ଭାରତରେ ନିପା ଭାଇରସର ପ୍ରଥମ ମାମଲା କୋଜିକୋଡରେ ୧୯ ମେ ୨୦୧୮ରେ ଚିହ୍ନଟ ହୋଇଥିଲା।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଅନୁଯାୟୀ, ନିପା ଭାଇରସ ସଂକ୍ରମଣ ଏକ ଜୁନୋଟିକ୍ ରୋଗ, ଯାହା ପଶୁମାନଙ୍କଠାରୁ ମଣିଷକୁ ବ୍ୟାପିଥାଏ । ଦୂଷିତ ଖାଦ୍ୟ ଅବା ଜଣେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ମଧ୍ୟ ସିଧା ବ୍ୟାପିପାରେ ଏହି ରୋଗ | ନିପା ଭାଇରସ ସଂକ୍ରମଣ ଶ୍ବାସ ରୋଗ ଏବଂ ଘାତକ ଏନସେଫାଲାଇଟିସ୍ ସହ ବିଭିନ୍ନ ରୋଗର କାରଣ ହୋଇପାରେ ।

Comments are closed.