କେନ୍ଦ୍ରର କଥା ଶୁଣିଲେନି ସୁପ୍ରିମକୋର୍ଟ, ସମ୍ବିଧାନ ପୀଠକୁ ଗଲା ଦେଶଦ୍ରୋହ ଆଇନର ବୈଧତା ମାମଲା

ନୂଆଦିଲ୍ଲୀ: ଦେଶଦ୍ରୋହ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାୟର ମାମଲାକୁ ସୁପ୍ରିମକୋର୍ଟ ମଙ୍ଗଳବାର ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠକୁ ପଠାଇଛନ୍ତି। ଏହି ଆଇନର ବୈଧତା ଉପରେ ଶୁଣାଣି ସ୍ଥଗିତ ରଖିବାକୁ କେନ୍ଦ୍ରର ଅନୁରୋଧକୁ କୋର୍ଟ ଖାରଜ କରିଛନ୍ତି।

ଭାରତୀୟ ଦଣ୍ଡ ସଂହିତା (ଆଇପିସି)ରେ ସରକାର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଏଥିପାଇଁ ଦେଶଦ୍ରୋହ ଆଇନର ସାମ୍ବିଧାନିକ ବୈଧତା ଶୁଣାଣି ସ୍ଥଗିତ ରଖିବାକୁ କେନ୍ଦ୍ର ଅନୁରୋଧ କରିଥିଲା । ହେଲେ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କେନ୍ଦ୍ରର କଥା ଶୁଣି ନଥିଲେ। ଏହି ଖଣ୍ଡପୀଠର ଅନ୍ୟ ଦୁଇ ସଦସ୍ୟ ହେଲେ ଜଷ୍ଟିସ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ।

ଏବେ ସୁପ୍ରିମକୋର୍ଟର ସମ୍ବିଧାନ ଖଣ୍ଡପୀଠ ଦେଶଦ୍ରୋହର ଧାରା ୧୨୪-ଏ’କୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନଗୁଡିକର ଶୁଣାଣି କରିବ | ଏହାଛଡ଼ା ସମ୍ବିଧାନ ପୀଠ‌‌‌ ୧୯୬୨ ମସିହାର କେଦାରନାଥ ସିଂହ ବନାମ ବିହାର ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ମଧ୍ୟ ସମୀକ୍ଷା କରିବ।

Comments are closed.