ଆଜିଠାରୁ କାର୍ଯ୍ୟକ୍ଷମ ହେବ ନୂଆ ସଂସଦ ଭବନ

ନୂଆଦିଲ୍ଲୀ: ଗଣେଶ ଚତୁର୍ଥୀର ଶୁଭ ଅବସରରେ ଆଜିଠାରୁ ନୂଆ ସଂସଦ ଭବନ ହେବ କାର୍ଯ୍ୟକ୍ଷମ । ଏଣିକି ଏହି ନୂଆ ସଂସଦ ଭବନରେ ହେବ ସଂସଦୀୟ କାର୍ଯ୍ୟ । ଏଥିସହ ଇତିହାସ ପାଲଟିବ ପୁରୁଣା ସଂସଦ ଗୃହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୁଣା ସଂସଦ ଗୃହରୁ ଭାରତର ସମ୍ବିଧାନର ଏକ ନକଲ ନେଇ ନବନିର୍ମିତ ନୂଆ ସଂସଦ ଗୃହକୁ ଯିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଛେ ପଛେ ସଂସଦର ଅନ୍ୟ ସବୁ ସଦସ୍ୟ ଭାରତୀୟ ଗଣତନ୍ତ୍ରର ଏହି ନୂଆ ମନ୍ଦିରରେ ପ୍ରବେଶ କରିବେ | ଏହି ଅବସରରେ ସଂସଦର ସଦସ୍ୟମାନଙ୍କୁ ସମ୍ବିଧାନର ଏକ ନକଲ, ସଂସଦ ସହ ଜଡ଼ିତ ପୁସ୍ତକ, ସ୍ମାରକ ମୁଦ୍ରା ଏବଂ ଡ଼ାକ ଟିକଟ ପ୍ରଦାନ କରାଯିବ। ଏକ ବ୍ୟାଗରେ ସାଂସଦମାନଙ୍କୁ ଏହି ଉପହାର ଦିଆଯିବ |

ଚଳିତ ବର୍ଷ ମେ ୨୮ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନକୁ ଉଦଘାଟନ କରିଥିଲେ । ଆଜି ନୂଆ ସଂସଦ ଭବନରେ ଚଳିତ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନର ବୈଠକ ଚାଲିବ। ଏହାପୂର୍ବରୁ ସକାଳ ୯:୩୦ରେ ପୁରୁଣା ସଂସଦ କମ୍ପ୍ଲେକ୍ସ ବାହାରେ ସବୁ ସଦସ୍ୟଙ୍କ ଏକ ଫଟୋ ସେସନ ହେବ | ଏହା ପରେ ପୂର୍ବାହ୍ନ ୧୧ଟାରେ ପୁରାତନ ସଂସଦ ଗୃହର ଐତିହାସିକ ମହତ୍ତ୍ଵ ସଂକ୍ରାନ୍ତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ | ଏଥିସହ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ପାଇଁ ସଂକଳ୍ପ ନିଆଯିବ।

ନୂଆ ସଂସଦ ଭବନରେ ଗୃହପ୍ରବେଶ ଅବସରରେ କେନ୍ଦ୍ରୀୟ ହଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ | ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ, ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର, ଲୋକସଭା ବାଚସ୍ପତି ଓମ ବିର୍ଲା, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ଅଧୀର ରଞ୍ଜନ ଚୌଧୁରୀ, ବିଜେପି ନେତା ମାନେକା ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ଏବଂ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଯୋଗଦେବେ | ମାନେକା ଗାନ୍ଧୀ ଲୋକସଭାରେ ଦୀର୍ଘକାଳୀନ ସାଂସଦ ଅଟନ୍ତି। ମନମୋହନ ସିଂ ମଧ୍ୟ ରାଜ୍ୟସଭାର ସବୁଠୁ ଦୀର୍ଘ ଅବଧି ରହିଥିବା ସଦସ୍ୟ। ଶିବୁ ସୋରେନ୍ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଦୀର୍ଘକାଳୀନ ସାଂସଦ ଅଟନ୍ତି।

ନୂଆ ସଂସଦ ଭବନରେ ପ୍ରବେଶ କରିବା ପରେ ଲୋକସଭା ବାଚସ୍ପତି ଓମ ବିର୍ଲା, ପ୍ରଧାନମନ୍ତ୍ରୀ ମୋଦୀ ଏବଂ କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ ଗୃହକୁ ସମ୍ବୋଧିତ କରିବେ। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୁଣା ସଂସଦ ଗୃହର ‘ପ୍ରତ୍ୟେକ ଇଟା’ କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ସାଂସଦମାନେ ନୂଆ ଆଶା ଓ ବିଶ୍ୱାସ ସହ ନୂଆ ସଂସଦ ଭବନରେ ପ୍ରବେଶ କରିବେ। ସେ ପୁରୁଣା ସଂସଦ ଗୃହର ଶେଷ ଦିନକୁ ୭,୫୦୦ରୁ ଅଧିକ ସାଂସଦଙ୍କୁ ଉତ୍ସର୍ଗ କରିଥିଲେ, ଯେଉଁମାନେ ୧୯୪୭ ମସିହାରେ ଭାରତର ସ୍ବାଧୀନତା ପରଠାରୁ ଏହି ସୌଧରେ କାର୍ଯ୍ୟ କରିଛନ୍ତି। ପୁରୁଣା ସଂସଦ ଭବନ ଛାଡ଼ିବା ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Comments are closed.