ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଅନୁଷ୍ଠିତ ହୋଇଯାଇଛି ବଳିବାମନ ବେଶ 

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପରି ଶ୍ରୀଜଗନ୍ନାଥ ମନ୍ଦିରରେ ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ଦିନ ବାମନ ଜନ୍ମ ମହାସମାରୋହରେ ପାଳିତ ହେବା ସଙ୍ଗେ ସଙ୍ଗେ ତତ୍‌ପରଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏକ ମନୋମୁଗ୍ଧକର ବାମନରୂପୀ ବାଳକ ବେଶରେ ସଜ୍ଜିତ କରାଯାଇଥାଏ ।

ଭାଦ୍ରବ ଶୁକ୍ଳ ତ୍ରୟୋଦଶୀ ଦିନ ଜଗନ୍ନାଥ ମହାପ୍ରଭୁ ବାମନ ବେଶ ଧାରଣ କରିଥାନ୍ତି । ଏଥିରେ ଶ୍ରୀସୁଭଦ୍ରା ସାଧାରଣ ବେଶ ଓ ଶ୍ରୀବଳଭଦ୍ର ବଳି ରାଜା ବେଶରେ ଧନୁଶର ଧରିଥିବା ଦୃଶ୍ୟମାନ ହେବା ସଙ୍ଗେ ସଙ୍ଗେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀଭୁଜ, ଶ୍ରୀପୟର ଓ ସ୍ପର୍ଶ କିରୀଟରେ ଆଭୂଷଣ ହୋଇଥାନ୍ତି । ମହାପ୍ରଭୁଙ୍କ ଶ୍ରୀଭୁଜର ବାମ ହସ୍ତରେ ଛତା ଓ ଡାହାଣ ହସ୍ତରେ କୁଶବଟୁ, ଗଡୁ ଧାରଣ ପୂର୍ବକ ଏକ ବାମନରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ଭୂଷିତ କରାଯାଇଥାଏ ଏଥିସହିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦେହରେ କନାରେ ନିର୍ମିତ ଏକ ମୃଗ ଛାଲ ପକାଯିବା ସହିତ ଶ୍ରୀମସ୍ତକରେ ଏକ ଜଟ ଚୂଳ ଲାଗି କରାଯାଇଥାଏ ପୁଷ୍ପାଳକ ସେବକମାନେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଏପରି ବେଶ କରିଥାନ୍ତି, ଜଣାଯାଏ ସତେ ଯେପରି ଜଗନ୍ନାଥ ମହାପ୍ରଭୁ ସ୍ଵୟଂ ଏକ ବାମନ ବା କ୍ଷୁଦ୍ରକାୟ ବିପ୍ର ।

ବାମନ ବେଶରେ ଠାକୁରଙ୍କୁ ଲାଗି କରାଯାଉଥିବା ସ୍ଵର୍ଣ ଅଳଙ୍କାର ଇତ୍ୟାଦି ବେଶ ଦିବସ ପୂର୍ବରୁ ରତ୍ନଭଣ୍ଡାରରୁ କଢାଯାଇ ଭଣ୍ଡାରମେକାପ ସେବକଙ୍କ ମାରଫତରେ ରହିଥାଏ ।

Comments are closed.