ବିଶ୍ୱକପରୁ ଅକ୍ଷର ବାଦ୍, ଅଶ୍ୱିନ ସାମିଲ

ନୂଆଦିଲ୍ଲୀ: ଆହତ ଅଲରାଉଣ୍ଡର ଅକ୍ଷର ପଟେଲ ଆଗାମୀ ଦିନିକିଆ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି । ଅକ୍ଷରଙ୍କ ସ୍ଥାନରେ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାରତର ୧୫ ଜଣିଆ ବିଶ୍ବକପ୍ ଦଳରେ ସାମିଲ କରାଯାଇଛି । ଭାରତୀୟ ବିଶ୍ଵକପ ଦଳରେ ଏହି ପରିବର୍ତ୍ତନ ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଗୁରୁବାର ଘୋଷଣା କରିଛି।

ଏସିଆ କପ୍ ବେଳେ ଅକ୍ଷରଙ୍କ ଜଂଘରେ ଆଘାତ ଲାଗିଥିଲା । ସେ ଶୀଘ୍ର ସୁସ୍ଥ ହେବା ଆଶା ନାହିଁ | ଏହି କାରଣରୁ ଅଜିତ ଅଗରକରଙ୍କ ନେତୃତ୍ଵାଧୀନ ଚୟନ କମିଟି ୩୭ ବର୍ଷୀୟ ଅଶ୍ୱିନଙ୍କୁ ବିଶ୍ବକପ୍ ଦଳରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲା । ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ଦୁଇଟି ମ୍ୟାଚରେ ଅଶ୍ୱିନ ଚାରିଟି ୱିକେଟ୍ ନେଇଥିଲେ।

ଆଇସିସି ଏକ ବିବୃତ୍ତିରେ କହିଛି, “ବାଂଲାଦେଶ ବିପକ୍ଷ ଏସିଆ କପ୍ ସୁପର ଫୋର୍ ମ୍ୟାଚ୍ ସମୟରେ ଅକ୍ଷର ପଟେଲ ଆହତ ହୋଇଥିଲେ । ବିଶ୍ୱକପ ପାଇଁ ଠିକ୍ ସମୟରେ ସେ ଆଘାତରୁ ମୁକୁଳିବାରେ ବିଫଳ ହୋଇଛନ୍ତି। ଏହି କାରଣରୁ ଏହି ସ୍ପିନର ଏସିଆ କପ୍ ଫାଇନାଲରେ ମଧ୍ୟ ଖେଳିପାରିନଥିଲେ |

ଆଇସିସି ବିବୃତ୍ତିରେ କୁହାଯାଇଛି, ଅକ୍ଷରଙ୍କ ସ୍ଥାନରେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦଳରେ ସାମିଲ କରାଯାଇଛି, ଯିଏକି ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ହୋଇଥିବା ସିରିଜରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଦୁଇଟି ମ୍ୟାଚରେ ଚାରିଟି ୱିକେଟ୍ ନେଇଥିଲେ।

ରାଜକୋଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆ ପାଇଁ ମଧ୍ୟ ଅକ୍ଷର ପଟେଲ ଫିଟ୍ ନଥିଲେ । ଫଳରେ ସେ ବିଶ୍ୱକପ ଦଳରୁ ବାଦ୍ ପଡ଼ିବେ ବୋଲି ନିଶ୍ଚିତ ହୋଇଯାଇଥିଲା ।

ଅଶ୍ୱିନ ଏବେ ଭାରତୀୟ ଦଳ ସହିତ ଗୁଆହାଟି ଯାଇଛନ୍ତି, ଯେଉଁଠି ଭାରତ ସେପ୍ଟେମ୍ବର ୩୦ରେ ଇଂଲଣ୍ଡ ବିପକ୍ଷରେ ଏହାର ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବ।

ଭାରତର ବିଶ୍ୱକପ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶୁଭମାନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ୍ ରାହୁଲ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ସାମି, ରବିଚନ୍ଦ୍ରନ ଅଶ୍ୱିନ୍, ଇଶାନ୍ କିଶାନ୍, ସୂର୍ଯ୍ୟକୁମାର ଯାଦବ |

Comments are closed.