ବିଧାନସଭା ପରିସରରେ ଗାନ୍ଧି ଜୟନ୍ତୀ ପାଳିତ 

ଭୁବନେଶ୍ୱର – ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅଗ୍ରଦୂତ , ସତ୍ୟ , ଶାନ୍ତି ଓ ଅହିଂସାର ଯୁଗ ପ୍ରବର୍ତ୍ତକ ଏବଂ ଆମ ସମୟର ସର୍ବଶ୍ରେଷ୍ଠ ଚିନ୍ତାନାୟକ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୪ତମ ରାଜ୍ୟସ୍ତରୀୟ ଜୟନ୍ତୀ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ପାଳିତ ହୋଇଛି । ତାଙ୍କ ମହିମାନ୍ଦିତ ଜୀବନ ଓ କୃତିତ୍ଵ , ଅସାଧାରଣ ଆଦର୍ଶ , ଅତୀତ , ବର୍ତ୍ତମାନ ଓ ଭବିଷ୍ୟତର ଇତିହାସ ପାଇଁ ଅର୍ଥପୂର୍ଣ୍ଣ ଉପାଦାନ ହୋଇ ରହିଛି ଏବଂ ରହିଥିବ । ଆଜି ପୂର୍ବାହ୍ନରେ ବିଧାନସଭା ପରିସରରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥ ରୂପେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବିଧାନସଭାର ବାଚସ୍ପତି ପ୍ରମିଳା ମଲ୍ଲିକ , ଉପବାଚସ୍ପତି ରଜନୀକାନ୍ତ ସିଂ , ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , ସଂସଦୀୟ ବ୍ୟାପାର ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ସୂଚନା ଓ ଲୋକସଂପର୍କ , ପଞ୍ଚାୟତିରାଜ ଓ ପାନୀୟ ଜଳ , ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ , କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ , ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ , ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ , ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି , ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ , ସୁରେଶ କୁମାର ରାଉତରାୟ , ଅନନ୍ତ ନାରାୟଣ ଜେନା , ଅନନ୍ତ ଦାସ ପ୍ରମୁଖ ମଧ୍ୟ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ଶାଶ୍ଵତୀ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ରର କଳାକାରମାନଙ୍କ ଦ୍ଵାରା ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ‘ ବୈଷ୍ଣବ ଜନ ତୋ ’ ଏବଂ ‘ ରଘୁପତି ରାଘବ ରାଜାରାମ ’ ପରିବେଷଣ ପରିବେଶକୁ ଭାବଗମ୍ଭୀର କରିଥିଲା ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ , ବିଧାନସଭା ସଚିବ ଦାଶରଥୀ ଶତପଥୀ , ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ , ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ , ସ୍ଵତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ମାନସ ରଞ୍ଜନ ଖୁଣ୍ଟିଆ , ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ ପ୍ରମୁଖ ସହଯୋଗ କରିଥିଲେ । ସହକାରୀ ନିର୍ଦ୍ଦେଶକ ( କ୍ଷେତ୍ର ) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Comments are closed.