ଆପ୍ ସାଂସଦ ସଞ୍ଜୟ ସିଂହ ଗିରଫ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରିଛି ଇଡି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବୁଧବାର ଇଡି ଟିମ୍ ତାଙ୍କ ଘରେ ବହୁଘଣ୍ଟା ଧରି ତଲାସି କରିବା ପରେ ସଞ୍ଜୟ ସିଂହଙ୍କୁ ଗିରଫ କରାଯାଇଛି ।

ପ୍ରାୟ ୭-୮ ଅଧିକାରୀ ଆଜି ସକାଳେ ସଞ୍ଜୟ ସିଂହଙ୍କ ଘରେ ପହଞ୍ଚି ଅବକାରୀ ଦୁର୍ନୀତି ମାମଲାରେ ଛାନଭିନ୍ କରିଥିଲେ। ସଞ୍ଜୟ ସିଂଙ୍କ ନାମ ମଧ୍ୟ ଚାର୍ଜସିଟରେ ରହିଛି । ପୂର୍ବରୁ ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇଥିଲେ ।

ସଞ୍ଜୟ ସିଂଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରେ ବର୍ଷିଛନ୍ତି । କେଜ୍ରିୱାଲ କହିଛନ୍ତି – ଏହି ମାମଲାରେ ୧୦୦୦ ଥର ଚଢ଼ାଉ କରାଗଲାଣି । କିନ୍ତୁ କିଛି ମିଳିନାହିଁ | ୨୦୨୪ ନିର୍ବାଚନ ଆସୁଛି। ସେମାନେ ହାରିବେ ବୋଲି ଜାଣିଛନ୍ତି | ଏହା ବିଜେପିର ହତାଶାକୁ ଦର୍ଶାଉଛି । ନିର୍ବାଚନ ପାଖେଇ ଆସୁଥିବାରୁ ଇଡି, ସିବିଆଇ ଏବଂ ଅନ୍ୟ କେନ୍ଦ୍ରୀୟ ସଂସ୍ଥା ଏବେ ବେଶ୍ ସକ୍ରିୟ ହୋଇଯିବେ।

Comments are closed.