ମଦ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିକୁ ଅଭିଯୁକ୍ତ ବନାଇବ ଇଡି !

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ଆମ୍ ଆଦମୀ ପାର୍ଟି (ଆପ୍)କୁ ଅଭିଯୁକ୍ତ ବନାଇବାକୁ ଆଇନଗତ ପରାମର୍ଶ ନେଉଛି । ଯଦି ଏହି ଦୁର୍ନୀତିରୁ ଆପ୍ ଦଳ ଆର୍ଥିକ ଦୃଷ୍ଟିରୁ ଫାଇଦା ଉଠାଇଛି, ତେବେ ସେହି ଦଳ ବିରୋଧରେ କାହିଁକି ମାମଲା ରୁଜୁ କରାଯାଉ ନାହିଁ ବୋଲି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି ବେଳେ ବୁଧବାର ଇଡିକୁ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । କୋର୍ଟଙ୍କ ଏପରି ଆଭିମୁଖ୍ୟ ପରେ ତଦନ୍ତକାରୀ ସଂସ୍ଥା ଏବେ ଆପକୁ ଏହି ମାମଲାରେ ଅଭିଯୁକ୍ତ କରିବାକୁ ଆଇନଗତ ପରାମର୍ଶ ନେଉଛି ।

ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଆଜି ବି ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି । ସିସୋଦିଆଙ୍କ ପକ୍ଷରୁ ଅଭିଷେକ ମନୁ ସିଂଘଭି ଏହି ମାମଲା ପରିଚାଳନା କରୁଛନ୍ତି।

ଇଡି ଏହି ମାମଲାରେ ବୁଧବାର ଆପର ଆଉ ଜଣେ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ଇଡି କୋର୍ଟରୁ ସଞ୍ଜୟ ସିଂଙ୍କ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ।

ସତ୍ୟେନ୍ଦ୍ର ଜୈନ ଓ ମନୀଷ ସିସୋଦିଆଙ୍କ ପରେ ସଞ୍ଜୟ ସିଂହ ହେଉଛନ୍ତି କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ଗିରଫ ହୋଇଥିବା ଆପର ତୃତୀୟ ବଡ଼ ନେତା। ସଞ୍ଜୟ ସିଂହଙ୍କ ଗିରଫଦାରୀକୁ ବିରୋଧ କରି ଆପ୍ ଗୁରୁବାର ବିଜେପି ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛି। ପୋଲିସ କିଛି ଆପ୍ କର୍ମକର୍ତ୍ତାଙ୍କୁ ଅଟକ ରଖିଛି।

Comments are closed.