ମାଓ ପ୍ରଭାବିତ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ନୂଆଦିଲ୍ଲୀ – ବାମ ଉଗ୍ରବାଦ ଦମନ ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓବାଦୀ ପ୍ରଭାବିତ ଅଂଚଳଗୁଡିକରେ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ରାଜ୍ୟରେ ମାଲକାନଗିରି ଦେଇ ଜୟପୁର –ମୋଟୁ ଜାତୀୟ ରାଜପଥ-୩୨୬ର ଚାରି ଲେନିଂ ପାଇଁ ପ୍ରସ୍ତାବ ଦେଇଛନ୍ତି ନବୀନ । ଏହା ହେଲେ ପୂର୍ବ ଭାରତର ଛତିଶଗଡ, ଝାଡଖଣ୍ଡରୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକୁ ଏକ ସମାନ୍ତରାଳ ଯାତାୟତ ପଥ ବାହାରିବ । ଏହି କରିଡର ଦ୍ୱାରା ଯାତ୍ରା ସମୟ ହ୍ରାସ ହେବା ସହ ସଂପୃକ୍ତ ଅଂଚଳରେ ଅର୍ଥନୈତିକ ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦକ୍ଷିଣ ଓ ପଶ୍ଚିମ ଓଡିଶାର ଅନେକ ଅଂଚଳରେ ମୋବାଇଲ୍ ଫୋନ ସେବା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାର ୬ ହଜାର ୨୭୮ଟି ଗାଁରେ ମୋବାଇଲ୍ ଯୋଗାଯୋଗ ନାହିଁ । ଓଡିଶା ପାଇଁ ୪୮୮ଟି ମୋବାଇଲ ଟାୱାର ଅନୁମୋଦନ କରିଥିବାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଧନ୍ୟବାଦ ଦେଇଛନ୍ତି ନବୀନ । କିନ୍ତୁ ମୋବାଇଲ କଭର ହୋଇ ନ ଥିବା ଗାଁଗୁଡିକ ପାଇଁ ଆନୁମାନିକ ୨ ହଜାର ଅଧିକ ମୋବାଇଲ୍ ବେସ୍ ଷ୍ଟେସନ ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମାଓ ଅଧ୍ୟୁଷିତ ଅଂଚଳରେ ବ୍ୟାଙ୍କିଂ ବ୍ୟବସ୍ଥାର ସୁଦୃଢୀକରଣ ଉପରେ ମଧ୍ୟ ଜୋର୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନକ୍ସଲ ପ୍ରଭାବିତ ଅଂଚଳରେ କେତେ ପିଲା ସଫଳତାର ସହ ଜାତୀୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି , ସେ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧ୍ୟୟନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.